ପୁରୀ: ମହାପ୍ରଭୁଙ୍କ ଅଣସର ନୀତିର ଏକ ଅନନ୍ୟ ପରମ୍ପରା । ପ୍ରାଚୀ କ୍ଷେତ୍ର ନିଆଳିରୁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ବାହାରିଛି ପବିତ୍ର ‘ଅଣସର ଭାର’ । ଶ୍ରୀଜିଉଙ୍କ ମାମୁଁ ଘର ବୋଲି ପରିଚିତ ନିଆଳି ମାଧବାନନ୍ଦଜୀଉ ମନ୍ଦିରରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ପରମ୍ପରା ପାଳନ କରାଯାଇଛି । ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁଗନ୍ଧିତ ଜଳରେ ମହାପ୍ରଭୁଙ୍କ ମହାସ୍ନାନ ପରେ ଶ୍ରୀଜିଉ ଅସୁସ୍ଥ ହୋଇ ଅଣସର ଘରେ ବିରାଜମାନ ଅଛନ୍ତି । ଏହି ସମୟରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ ଏବଂ ଗୁପ୍ତ ନୀତି ଅନୁଯାୟୀ ମହାପ୍ରଭୁଙ୍କ ସେବାପୂଜା କରାଯାଇଥାଏ । ଲୋକବିଶ୍ୱାସ ଅନୁସାରେ କଟକ ଜିଲ୍ଲାର ନିଆଳିସ୍ଥିତ ମାଧବାନନ୍ଦଜୀଉ ମନ୍ଦିରକୁ ମହାପ୍ରଭୁଙ୍କ ମାମୁଁ ଘର ବୋଲି ମାନାଯାଏ ।ତେଣୁ ଅଣସର ସମୟରେ ମହାପ୍ରଭୁଙ୍କ ସୁସ୍ଥତା କାମନାରେ ଏଠାରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥାଏ ‘ଅଣସର ଭାର’ । ଏଥିରେ ବିଭିନ୍ନ ଔଷଧୀୟ ଦ୍ରବ୍ୟ, ପଥ୍ୟ ସାମଗ୍ରୀ ଏବଂ ପରମ୍ପରା ଅନୁଯାୟୀ ଆବଶ୍ୟକ ଉପକରଣ ସାମିଲ ରହିଥାଏ । ଆଜି ସକାଳୁ ବିଧିବିଧାନ ଓ ପୂଜାର୍ଚ୍ଚନା ପରେ ନିଆଳି ପ୍ରାଚୀ କ୍ଷେତ୍ରର ମାଧବାନନ୍ଦଜୀଉ ମନ୍ଦିରରୁ ଅଣସର ଭାର ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା କରିଛି ।










