33.1 C
Bhubaneswar
Tuesday, August 25, 2026
Homeଓଡିଶାବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଘରୋଇକରଣ ପ୍ରସଙ୍ଗ; ରାଜ୍ୟର ସମ୍ପଦ ଲୁଟ ହେଉଥିବା ବେଳେ...

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଘରୋଇକରଣ ପ୍ରସଙ୍ଗ; ରାଜ୍ୟର ସମ୍ପଦ ଲୁଟ ହେଉଥିବା ବେଳେ ପାଟି ଖୋଲୁନି ରାଜ୍ୟ ସରକାର: ବିଜେଡି

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲିଜ୍ ଦେଇ ଘରୋଇକରଣ କରାଇବାକୁ ବିଜେପି ସରକାର ପ୍ରୟାସ କରିଛନ୍ତି । ଯାହାକୁ ନେଇ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ବିଜେପି ସରକାର ଉପରେ ବର୍ଷିଛନ୍ତି ।ଡ. ସାମନ୍ତସିଂହାର କହିଛନ୍ତି ଯେ, ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ବିଜେପି ସରକାର ଅନୁମୋଦନ କରିଛନ୍ତି । ଯାହାକି ଓଡିଆ ଅସ୍ମିତା ପ୍ରତି କୁଠାରଘାତ କରିବା ସଦୃଶ୍ୟ । ଏ ଖବର ଜାଣିବା ପରେ ସମଗ୍ର ରାଜ୍ୟବାସୀ ମର୍ମାହିତ ହୋଇଛନ୍ତି । ପ୍ରବାଦ ପୁରୁଷ ବିଜୁବାବୁଙ୍କ ନାମରେ ନାମିତ ଉକ୍ତ ବିମାନ ବନ୍ଦର ଦେଶର ପ୍ରମୁଖ ଓ ଲାଭନ୍ୱିତ ବିମାନ ବନ୍ଦର । ବର୍ଷକୁ ୨୦୦କୋଟିରୁ ଉଦ୍ଧ୍ୱର୍ ଲାଭ ହେବା ସହ ୫୦ଲକ୍ଷ ଲୋକେ ଯାତାୟାତ କରିଥାନ୍ତି । ତେବେ ଏହାକୁ ଘରୋଇ କରଣ କରିବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି । ବିଜେପି ସରକାର ଇଂରେଜ ମାନଙ୍କ ଭଳି ଶାସନ କରି ରାଜ୍ୟର ସମ୍ପତ୍ତିକୁ ବିକ୍ରି କରିବାକୁ ଯୋଜନା କରୁଛନ୍ତି । ଏଥିରେ ଆହୁରି ନିବେଶ କରି ବିକାଶ କରିବା ବଦଳରେ ବିଜେପି ସରକାର ବିମାନବନ୍ଦରକୁ ପିପିପି ମୋଡରେ ଘରୋଇ ସଂସ୍ଥା ହାତକୁ ଟେକି ଦେଇଛନ୍ତି । ଡବଲ ଇଞ୍ଜିନ ସରକାର ଓଡ଼ିଶା ପାଇଁ କାଳ ସାଜିଛନ୍ତି । ରାଜ୍ୟର ସମସ୍ତ ସମ୍ପଦକୁ ଲୁଟିବା ପାଇଁ କେନ୍ଦ୍ରର ବିଜେପି ସରକାର ଯୋଜନା କରୁଥିବା ବେଳେ ରାଜ୍ୟର ବିଜେପି ସରକାର ଏଜେଣ୍ଟ ସାଜି ତାହାକୁ ସମର୍ଥନ ଜଣାଉଛନ୍ତି ।

ଓଡ଼ିଶାର ଅନେକ କ୍ଷତି ହେଉଥିଲେ ସୁଦ୍ଧା କେନ୍ଦ୍ର ସରକାରଙ୍କ ସମ୍ମୁଖରେ ରାଜ୍ୟ ସରକାର ଚୁପ ରହୁଛନ୍ତି । ଏମଏମଡିଆର ଆକ୍ଟ ଯୋଗେ ରାଜ୍ୟର ଖଣିକୁ ବିକ୍ରି କରିଛନ୍ତି । ବିଭିନ୍ନ ବନ୍ଦର ଗୁଡିକ ଘରୋଇ କମ୍ପାନୀ ମାନଙ୍କ ହାତକୁ ଟେକି ଦେଇଛନ୍ତି । ଜାତୀୟ ରାଜପଥ ଗୁଡ଼ିକ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହେଉଛି । ଏହାପରେ ବିଜେପି ସରକାରଙ୍କ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଲୋଲୁପ ଦୃଷ୍ଟି ପଡ଼ିଛି । ବିମାନବନ୍ଦର ସହିତ ୫୦ବର୍ଷ ପାଇଁ ଘରୋଇ କରଣ କରିଛନ୍ତି । ଏନେଇ ବିଜେପି ସରକାରଙ୍କୁ କିଏ ଅଧିକାର ଦେଇଛି ବୋଲି ପ୍ରଶ୍ନ କରିଛନ୍ତି । ଓଡ଼ିଶାକୁ ଗରିବ ରାଜ୍ୟ କରିବା ପାଇଁ ବିଜେପି ସରକାର ଯୋଜନାବଦ୍ଧ ଭାବେ ଲାଗି ପଡିଛନ୍ତି । ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ, ୨୦ଜଣ ବିଜେପି ସାଂସଦ, ରାଜ୍ୟସଭା ସାଂସଦ ମାନେ ଜାଣି ସୁଦ୍ଧା ଚୁପ ବସିବାର କାରଣ କଣ ବୋଲି ପ୍ରଶ୍ନ କରିଛନ୍ତି ।ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଏହା ଏକ ପ୍ରମୁଖ ବିମାନ ବନ୍ଦର । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଏହାର ଉନ୍ନତି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ । ବିଜୁ ପଟ୍ଟନାୟକ ବିମାନ ବନ୍ଦର ୭୦୦୦ରୁ ୮୦୦୦ କୋଟି ଟଙ୍କାର ହେବ । ତେବେ ଏହାକୁ ୫୦ବର୍ଷ ପାଇଁ ଗୋଟାଏ ଘରୋଇ ସଂସ୍ଥାକୁ ମାଲିକାନା ପ୍ରଦାନ କରିବା କାହା ସ୍ୱାର୍ଥରେ ହେଉଛି । ଯାହାକି ଅତି ନିନ୍ଦନୀୟ । ଘରୋଇକରଣ ହେଲେ ଲୋକେ ମଧ୍ୟ ଅଧିକ ଖର୍ଚ୍ଚାନ୍ତ ଶିକାର ହେବେ । ଘରୋଇ କରଣ ହେବା ଦ୍ୱାରା ଜନତାଙ୍କ ନୁହେଁ ବିଜେପି ଦଳକୁ ଫାଇଦା ମିଳିବ । ରାଜ୍ୟର କ୍ଷତି ନେଇ କେନ୍ଦ୍ର ସରକାରଙ୍କ ନିର୍ଣ୍ଣୟ ଉପରେ ରାଜ୍ୟ ସରକାରଙ୍କ କୌଣସି ପ୍ରଶ୍ନ ପଚାରିବାର ସତ୍ସାହସ ନାହିଁ । ଓଡ଼ିଶା ବାସୀଙ୍କ ସ୍ୱାର୍ଥକୁ ଲୁଟ କରିବା ପାଇଁ ବିଜେପି ସରକାର ବସି ରହିଛନ୍ତି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଓଡିଆ ଅସ୍ମିତାର ପ୍ରତୀକ । ଏହାର ଉନ୍ନତି କରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ବଦଳରେ ଘରୋଇକରଣ କରାଯାଇଛି । ଉକ୍ତ ନିଷ୍ପତ୍ତିକୁ ବିଜେପି ସରକାର ଯଦି ରଦ୍ଦ ନକରନ୍ତି ତେବେ ବିଜେଡି ପକ୍ଷରୁ ଘୋର ବିରୋଧ କରି ଆନେ୍ଦାଳନ କରାଯିବ ବୋଲି ଡ. ସାମନ୍ତସିଂହାର କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking