ପୁରୀ: ଶ୍ରୀମନ୍ଦିରରେ ଖୁବଶୀଘ୍ର ବଦଳିବ ଦର୍ଶନ ବ୍ୟବସ୍ଥା । ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ସହ ଶୃଙ୍ଖଳିତ ଦର୍ଶନ ପାଇଁ ଲାଗୁ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା । ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ଅଧିକ ସୁବିଧା । ସାତପାହାଚରୁ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା । ନାଟମଣ୍ଡପରେ ୫ଟି ସ୍ୱତନ୍ତ୍ର ରାମ୍ପ ମାଧ୍ୟମରେ ଭକ୍ତମାନେ ଶୃଙ୍ଖଳିତ ଭାବେ ଆଗକୁ ବଢ଼ି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।ବିଶେଷଜ୍ଞ ଟିମ୍ର ପ୍ରସ୍ତାବକୁ ମିଳିଛି ଅନୁମୋଦନ । ଆଇଆଇଟି ଭୁବନେଶ୍ୱରର ବିଶେଷଜ୍ଞମାନେ ଧାଡ଼ି ଦର୍ଶନ ପାଇଁ ବିଭିନ୍ନ ମଡେଲ୍ ଉପସ୍ଥାପନ କରିଥିଲେ । ସେଥିରୁ ସର୍ବୋତ୍ତମ ମଡେଲ୍କୁ ଚୟନ କରି ଏହାକୁ କିପରି ସଫଳତାର ସହ କାର୍ଯ୍ୟକାରୀ କରାଯିବ, ସେନେଇ ଆଲୋଚନା ହୋଇଛି । ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ସପ୍ତାହକ ମଧ୍ୟରେ ପାଇଲଟ୍ ପ୍ରକଳ୍ପ ଭାବେ ଏହି ବ୍ୟବସ୍ଥା ଆରମ୍ଭ ହୋଇପାରେ। ପରବର୍ତ୍ତୀ ୩ରୁ ୪ ମାସ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ଯୋଜନା ରହିଛି । ଏହି ବ୍ୟବସ୍ଥା ଲାଗୁ ହେଲେ ଗୋଟିଏ ଘଣ୍ଟାରେ ପ୍ରାୟ ୮ରୁ ୧୦ ହଜାର ଭକ୍ତ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ। ଭକ୍ତମାନେ ସାତପାହାଚ ଦେଇ ମନ୍ଦିରକୁ ପ୍ରବେଶ କରିବେ ଏବଂ ନିର୍ଦ୍ଦିଷ୍ଟ ପଥ ଦେଇ ବାହାରକୁ ଯିବେ ।










