ନୂଆଦିଲ୍ଲୀ: ସାଉଦିଆରବ ଏଥର ହଜକୁ ନେଇ ବଡ଼ ନିଷ୍ପତ୍ତି ନେଇଛି । ସାଉଦି ଆରବର ନୂଆ ନିଷ୍ପତ୍ତି ମୁତାବକ, ଏବେ ହଜାରେ ପିଲାମାନଙ୍କ ପ୍ରବେଶକୁ ନିଷେଧ କରାଯାଇଛି । ପ୍ରତିବର୍ଷ ହଜ୍ ସମୟରେ ବୃଦ୍ଧି ପାଉଥିବା ଭିଡ଼କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସାଉଦି ଆରବର ହଜ୍ ଏବଂ ଉମରା ମନ୍ତ୍ରଣାଳୟ କହିଛି । ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କୁ ହଜ୍ ଯାତ୍ରା କରିବାକୁ ବାରଣ କରାଯାଇଛି । ମନ୍ତ୍ରଣାଳୟ କହିଛି ଯେ ୨୦୨୫ରେ କେବଳ ପ୍ରଥମ ଥର ପାଇଁ ହଜ୍ କରିବାକୁ ଆସୁଥିବା ଲୋକଙ୍କୁ ପ୍ରାଥମିକତା ଦିଆଯିବ । ଭିଡ଼ ଯୋଗୁ ହେଉଥିବା ସମସ୍ୟାରୁ ପିଲାମାନଙ୍କୁ ରକ୍ଷା କରିବା ପାଇଁ ସେମାନଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି । ହଜ୍ ୨୦୨୫ ପାଇଁ ପଞ୍ଜୀକରଣ ଆରମ୍ଭ କରାଯାଇଛି ।
ସାଉଦି ଆରବର ନାଗରିକ ତଥା ସେଠାକାର ବାସିନ୍ଦାମାନେ ନୁସୁକ୍ ଆପ୍ ଜରିଆରେ କିମ୍ବା ସରକାରୀ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ନିଜର ପଞ୍ଜୀକରଣ କରିପାରିବେ । ଆବେଦନକାରୀମାନେ ନିଜର ବିବରଣୀ ସହିତ ସେମାନଙ୍କ ସହ ଯାତ୍ରା କରୁଥିବା ଲୋକଙ୍କର ମଧ୍ୟ ପଞ୍ଜୀକରଣ କରାଇବେ । ସାଉଦି ଆରବର ନୂତନ ଭିସା ନିୟମ ଦ୍ୱାରା ଆଲଜେରିଆ, ବାଂଲାଦେଶ, ମିଶର, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାକ, ଜୋର୍ଡାନ, ମରକ୍କେ୍ା, ନାଇଜେରିଆ, ପାକିସ୍ତାନ, ସୁଡାନ, ଟ୍ୟୁନିସିଆ ଏବଂ ୟେମେନ ଆଦି ଦେଶ ପ୍ରଭାବିତ ହେବ । ସାଉଦି ସରକାର ଏହି ଦେଶଗୁଡ଼ିକ ସହିତ ପର୍ଯ୍ୟଟନ, ବ୍ୟବସାୟ ଏବଂ ପାରିବାରିକ ଗସ୍ତ ପାଇଁ ଏକ ବର୍ଷର ମଲ୍ଟିପଲ୍ ଏଣ୍ଟ୍ରି ଭିସାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି । ନୂତନ ନିୟମ ଅଧୀନରେ ଏହି ଦେଶଗୁଡ଼ିକର ଲୋକମାନେ କେବଳ ଏକକ ପ୍ରବେଶ ଭିସା ପାଇଁ ଆବେଦନ କରିପାରିବେ, ଯାହା ମାତ୍ର ୩୦ ଦିନ ପାଇଁ ବୈଧ ହେବ ।