35.1 C
Bhubaneswar
Saturday, May 4, 2024
Homeଖେଳମହିଳା ଦିନିକିଆ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ

ମହିଳା ଦିନିକିଆ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ

ମ୍ୟାକ୍‌କେ: ଚଳିତ ଭାରତ ବିପକ୍ଷ ଦିନିକିଆ ମହିଳା ସିରିଜ୍‌ରେ ୨-୦ରେ ବିଜୟୀ ହୋଇଛି ଘରୋଇ ଅଷ୍ଟ୍ରେଲିଆ । ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ୯ ୱିକେଟ୍‌ରେ ଜିତିଥିବା ଅଷ୍ଟ୍ରେଲିଆ ଶୁକ୍ରବାରର ଦ୍ୱିତୀୟ ମ୍ୟାଚ୍‌କୁ ୫ ୱିକେଟ୍‌ରେ ଜିତି ସିରିଜ୍‌ରେ ୨-୦ରେ ଆଗୁଆ ରହିଛି । ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇ ଭାରତୀୟ ମହିଳା ଦଳ ୭ ୱିକେଟ୍‌ରେ ୨୭୪ ରନ୍ କରିଥିଲା । ଜବାବରେ ଶେଷ ଓଭର୍‌ରେ ବିଜୟ ପାଇଁ ୧୨ ରନ୍ ଆବଶ୍ୟକ କରୁଥିବା ଅଷ୍ଟ୍ରେଲିଆ ପାଇଁ ଭାରତର ବର୍ଷୀୟାନ୍ ପେସର୍ ଝୁଲନ୍ ଗୋସ୍ୱାମୀ ବରଦାନ ସାଜିଥିଲେ । ଶେଷ ବଲ୍‌ରେ ବିଜୟ ପାଇଁ ୩ ରନ୍ ଆବଶ୍ୟକ ହେଉଥିବା ବେଳେ ଦୁଇ ଅପରାଜିତ ବ୍ୟାଟ୍ସଓମ୍ୟାନ୍ ବେଥ୍ ମୁନୀ ଓ ନିକୋଲା କ୍ୟାରେ କୌଣସି ରନ୍ ନେଇ ନ ଥିଲେ ହେଁ ଝୁଲନ୍ ନୋ ବଲ୍ ପକାଇଥିଲେ । ପୂର୍ବରୁ ମଧ୍ୟ ଉକ୍ତ ଓଭର୍‌ର ତୃତୀୟ ବଲ୍‌ଟିକୁ ଝୁଲନ୍ ନୋ ବଲ୍ କରିଥିଲେ । ଫଳରେ ଦ୍ୱିତୀୟ ନୋ ବଲ୍ ଭାରତ ପାଇଁ ଆତ୍ମଘାତୀ ହୋଇଥିଲା ।

ଉକ୍ତ ବଲ୍‌ରେ ୨ଟି ରନ୍ ନେଇ କ୍ୟାରେ ଅଷ୍ଟ୍ରେଲିଆର କ୍ରମାଗତ ବିଜୟ ସଂଖ୍ୟାକୁ ୨୬ରେ ପହଞ୍ଚାଇଥିଲେ । ଅପରାଜିତ ୧୨୫ ରନ୍‌ର ବଳିଷ୍ଠ ଇନିଂସ ଖେଳିଥିବାରୁ ମୁନୀ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ତାଙ୍କ ବ୍ୟତୀତ ତାହିଲା ମ୍ୟାକ୍‌ଗ୍ରାଥ୍ ୯ଟି ଚୌକା ସହ ୭୩ ରନ୍ କରିଥବଲେ । ଏହାଛଡ଼ା କ୍ୟାରେ ମଧ୍ୟ ୨ଟି ଚୌକା ସହ ୩୯ ରନ୍ କରିବା ସହ ମୁନୀଙ୍କ ସହ ୯୭ ରନ୍‌ର ଅବିଭାଜିତ ଭାଗୀଦାରୀ କରିଥିଲେ । ସେହିପରି ରାଚେଲ୍ ହେନ୍ସଙ୍କ ଅନୁପସ୍ଥିତିରେ ଓପନିଂ କରିବାର ସୁଯୋଗ ପାଇଥିବା ମୁନୀ ୧୨ଟି ଚୌକା ସହ ୧୨୫ ରନ୍ କରିଥିଲେ । ଭାରତ ପକ୍ଷରୁ ଝୁଲନ୍‌, ମେଘନା ସିଂ, ପୂଜା ବସ୍ତ୍ରାକାର ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଏହା ପୂର୍ବରୁ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ଓପନର ସ୍ମୃତି ମନ୍ଧାନା ସର୍ବାଧିକ ସ୍କୋର୍ କରିଥିଲେ ।

ସେ ଓପନିଂ ଯୋଡ଼ିଦାର ଶେଫାଳୀ ବର୍ମାଙ୍କ ସହ ୭୪ ରନ୍ ଯୋଡ଼ିବା ସହ ନିଜେ ୧୧ଟି ଚୌକା ମାଧ୍ୟମରେ ୮୬ ରନ୍ କରିଥିଲେ । ଏହାଛଡ଼ା ରିଚା ଘୋଷ ୩ଟି ଚୌକା ଓ ଗୋଟିଏ ଛକା ସହ ୪୪, ପୂଜା ଗୋଟିଏ ଚୌକା ସହ ୨୯, ଝୁଲନ୍ ୩ଟି ଚୌକା ସହ ୨୮ ଏବଂ ଦୀପ୍ତି ଶର୍ମା ୨ଟି ଚୌକା ସହ ୨୩ ରନ୍ କରିଥିଲେ । ଅଧିନାୟିକା ମିତାଲି ରାଜ୍ ମାତ୍ର ୮ ଓ ୟାସ୍ତିକା ଭାଟିଆ ୩ ରନ୍ କରିପାରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ତାହିଲା ୩ଟି ଓ ସୋଫି ମୋଲିନିଅକ୍ସ ୨ଟି ୱିକେଟ୍ ନେଇଥିଲେ । ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ଟି ଆସନ୍ତା ରବିବାର ଏଠାରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking