ରାଇରଙ୍ଗପୁର : ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ଏହି ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ସଂପର୍କରେ କାକା-ପୁତୁରା। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲାରେ। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ବାଦାମପାହାଡ଼ରୁ ଲୁହାପଥର ନେଇ ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ୍ ତିରିଂ ଥାନା ଅନ୍ତର୍ଗତ ବଡ଼ଡ଼ାଳିମା ଗାଁରେ ଦୁଇ ଜଣ ଯୁବକଙ୍କୁ ଚାପି ଦେଇଥିଲେ। ମୃତ ଯୁବକ ଦ୍ୱୟ ହେଲେ ସିପୁ ବିହାରୀ (୧୬) ଓ ତାଙ୍କ କାକା ତରଣୀ ବିହାରୀ (୨୪)।
ଏ ଦୁହେଁ ଘର ସାମ୍ନାରେ ଛିଡ଼ା ହୋଇଥିବା ବେଳେ ଟ୍ରକ୍ଟି ସେମାନଙ୍କୁ ଚାପି ଦେଇ ଚାଲି ଯାଇଥିଲା। ସିପୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତରଣୀଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ସକାଳେ ତାଙ୍କା ବି ମୃତ୍ୟୁ ଘଟିଥିଲା। ବଡ଼ଡ଼ାଳିମାରେ ଦୁର୍ଘଟଣା ଘଟାଇବା ପରେ ଏହି ଟ୍ରକ୍ଟି ତିରିଂ ସୀମାନ୍ତ କୋବାଲୀ ଥାନା ଅନ୍ତର୍ଗତ ବାଲିଡିହ ଠାରେ ଜଣେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତାଙ୍କ ନାଁ ବେରା ନାଏକ। ସେ ବହଳଦା ଅଞ୍ଚଳର ବୋଲି ଜଣାପଡ଼ିଛି। ଏଠାରେ ଟ୍ରକ୍ଟି ବାଇକ୍ ଆରୋହୀଙ୍କୁ ଧକ୍କା ଦେବା ପରେ ଓଲଟି ପଡ଼ିଥିଲା। ପୁଲିସ୍ ଟ୍ରକ୍ ଡ୍ରାଇଭରଙ୍କୁ ଧରି ଅଟକ ରଖିଥିବା ଜଣାପଡ଼ିଛି।