କଳାହାଣ୍ଡି: କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ଆଜି । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଭବାନୀପାଟଣା ସହର। ଭୋରରୁ ଜେନାଖାଲରୁ ବାହାରିଛି ମା’ଙ୍କ ବିଜୟ ଛତର । ମା’ଙ୍କ ଦର୍ଶନ ପାଇଁ କଳାହାଣ୍ଡି ଜିଲ୍ଲା ସମେତ ଜିଲ୍ଲା ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶା ରହିଛି ।
ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଏବଂ ଭକ୍ତଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ସଜାଗ ରହିଛି ପୁଲିସ ପ୍ରଶାସନ । ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ ପରିଚାଳନା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସୁରକ୍ଷା ଦାୟିତ୍ୱରେ ୧୫ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ୯୫ ଜଣ ପୁଲିସ ଅଧିକାରୀ ନିୟୋଜିତ ରହିବେ । ଯାତ୍ରାପଥ ଓ ଜନଗହଳିପୂର୍ଣ୍ଣ ସ୍ଥାନ ଉପରେ ନଜର ରଖିବା ପାଇଁ ୨୫ଟି ସିସିଟିଭି କ୍ୟାମେରା ଲଗାଯାଇଛି ।
ଏହା ସହ ଡ୍ରୋନ୍ ମାଧ୍ୟମରେ ମଧ୍ୟ ଭିଡ଼ର ସ୍ଥିତି ଉପରେ ନଜର ରଖାଯିବ। ଭିଡ଼କୁ ସୁବ୍ୟବସ୍ଥିତ କରିବା ପାଇଁ ସାଂସ୍କୃତିକ ଦଳଙ୍କ ଗତିପଥରେ ପରିବର୍ତ୍ତନ କରାଯାଇଛି । ଯାତ୍ରା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ ଓ ଭକ୍ତଙ୍କ ଯାତାୟାତକୁ ସୁଗମ କରିବା ଉପରେ ପୁଲିସର ସ୍ୱତନ୍ତ୍ର ନଜର ରହିବ ବୋଲି କଳାହାଣ୍ଡି ଏସ୍ପି କହିଛନ୍ତି ।
ଅନ୍ୟପଟେ, ବଳି ପ୍ରଥାକୁ ନେଇ ମଧ୍ୟ ପୁଲିସ ପ୍ରଶାସନ ପକ୍ଷରୁ ସଚେତନତା କରାଯାଇଛି। ସୁପ୍ରିମକୋର୍ଟଙ୍କ ନିୟମାବଳୀ ଅନୁଯାୟୀ ବଳି ପ୍ରଥା ବନ୍ଦ କରିବାକୁ ନିର୍ଦ୍ଦେଶ ଥିବାରୁ ଏଥିରୁ ନିବୃତ୍ତ ରହିବାକୁ ଲୋକଙ୍କୁ ବୁଝାଯାଉଛି । ତେବେ ମାନସିକ ପୂରଣ ଓ ଶ୍ରଦ୍ଧା ନାଁରେ କିଛି ଶ୍ରଦ୍ଧାଳୁ କୁକୁଡ଼ା ଓ ବୋଦା ନେଇ ବଳି ଦେବା ପାଇଁ ମନ୍ଦିରରେ ପହଞ୍ଚୁଥିବା ଦେଖିବାକୁ ମିଳିଛି ।









