ଢେଙ୍କାନାଳ: ଶବ ସତ୍କାର କରି ଫେରୁଥିବା ବେଳେ ଦନ୍ତା ହାତୀର ଆକ୍ରମଣ। ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ଢେଙ୍କାନାଳ ବନଖଣ୍ଡର ଷଡ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଇଲେଇଜଙ୍ଗ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତକ ହେଲେ ଗାଁର ୭୦ ବର୍ଷୀୟ ଅଲେଖ ନାୟକ। ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।ସୂଚନା ଅନୁସାରେ, ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଗାଁ ଶ୍ମଶାନରେ ଶବ ସତ୍କାର କରି ଫେରୁଥିଲେ ଗ୍ରାମବାସୀ। ଏହି ସମୟରେ ହଠାତ୍ ଏକ ଗୋଟିକିଆ ଦନ୍ତା ହାତୀ ସେଠାରେ ପହଞ୍ଚି ଆକ୍ରମଣ କରିଥିଲା। ହାତୀକୁ ଦେଖି ପ୍ରାୟ ୩୦ ଜଣ ଲୋକ ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ଏହି ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ ଅଲେଖ ନାୟକ, ପଙ୍କଜ ନାଏକ ଓ ମଧୁ ନାୟକ।ହାତୀ ଆକ୍ରମଣରେ ଅଲେଖଙ୍କ ମୃତ୍ୟୁ ହୋଇଥିବାବେଳେ ପଙ୍କଜ ଓ ମଧୁ ଆହତ ହୋଇଛନ୍ତି। ଘଟଣାକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ହାତୀ ଆକ୍ରମଣରେ ଜଣେ ଗ୍ରାମବାସୀଙ୍କ ଜୀବନ ଯିବା ପରେ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।










