ନୂଆପଡ଼ା: ସକାଳୁ ସକାଳୁ ନୂଆପଡ଼ା ଜିଲ୍ଲାରୁ ଆସିଛି ଏକ ଦୁଃଖଦ ଖବର । ଭୟାବହ ସଡ଼କ ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ । ଖଡ଼ିଆଳ ବ୍ଲକ ବଡ଼ମହେଶ୍ୱର ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ସୂଚନା ଅନୁସାରେ, ନୂଆପଡ଼ା-ଖଡ଼ିଆଳ ୩୫୩ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ନୂଆପଡ଼ା ପଟୁ ଏକ ଟ୍ରକ ଆସୁଥିବା ବେଳେ ଖଡ଼ିଆଳ ପଟୁ ବାଇକ୍ରେ ନିଜ ଘର ବିରୁନପଦରକୁ ଯାଉଥିଲେ ସ୍ୱାମୀ-ସ୍ତ୍ରୀ ।ହେଲେ ବଡ଼ମହେଶ୍ୱର ନିକଟରେ ହଠାତ୍ ବାଇକ୍କୁ ଧକ୍କା ଦେଇଥିଲା ଟ୍ରକ । ଧକ୍କା ଏତେ ଭୟଙ୍କର ଥିଲା ଯେ, ବାଇକ୍ରେ ଥିବା ସ୍ୱାମୀ-ସ୍ତ୍ରୀଙ୍କ ଘଟଣାସ୍ଥଳରେ ହିଁ ଜୀବନ ଚାଲିଯାଇଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ଟ୍ରକଟି ଘଟଣାସ୍ଥଳରୁ ପଳାଇ ଯାଇଥିବା ସୂଚନା ମିଳିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଖଡ଼ିଆଳ ପୁଲିସ । ଦୁର୍ଘଟଣାର ତଦନ୍ତ ଆରମ୍ଭ କରିବା ସହ ଘଟଣା ଘଟାଇ ପଳାଇଥିବା ଟ୍ରକ୍କୁ ଧରିବା ପାଇଁ ଖୋଜାଖୋଜି ଜାରି ରହିଛି ।










