ନୟାଗଡ଼: ରଣପୁର ଥାନା ଗୋପିନାଥପୁର ନିକଟ କାଜୁ ଜଙ୍ଗଲରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର । ମୃତକ ହେଲେ ଇଟାମାଟି ଥାନା କୋଡିଏକାହାଣିଆ ଗ୍ରାମର ଭରତ ବେହେରାଙ୍କ ପୁଅ ମାନସ ବେହେରା। ମୃତଦେହ ନିକଟରେ ଛୁରି ଏବଂ ମାନସଙ୍କ ବାଇକ୍ ପଡ଼ିଥିବା ଦେଖିବାକୁ ମିଳିଛି । ବେକକୁ ଛୁରୀରେ ମାରି ହତ୍ୟା କରି ଗଛରେ ବାନ୍ଧି ଦେଇଥିବା ସନ୍ଦେହ କରାଯାଉଛି ।
ସୂଚନା ଅନୁସାରେ, ମାନସ ଭୁବନେଶ୍ବରରେ ରହି ଷ୍ଟିଲ୍ କାମ କରନ୍ତି । ଜନ୍ମାଷ୍ଟମୀ ପାଇଁ ଗତକାଲି ଅପରାହ୍ନରେ ସେ ବାଇକ୍ ଯୋଗେ ଗାଁକୁ ଆସୁଥିଲେ । ରାତି ପ୍ରାୟ ୭ଟା ସମୟରେ ମା’ଙ୍କୁ ଫୋନ୍ କରି କଥା ହୋଇଥିଲେ । ହେଲେ ରାତି ୧୦ଟା ସୁଦ୍ଧା ଘରେ ନ ପହଞ୍ଚିବାରୁ ଘର ଲୋକ ଫୋନ୍ କରିଥିଲେ ମଧ୍ୟ ସେ ଆଉ ଫୋନ୍ ଉଠାଇନଥିଲେ । ଘର ଲୋକେ ବହୁ ଖୋଜାଖୋଜି କରି ଭୋରରୁ ଇଟାମାଟି ଥାନାରେ ଅଭିଯୋଗ କରିଥିଲେ । ବହୁ ଖୋଜାଖୋଜି ପରେ ଗାଁ ଠାରୁ ୫କିମି ଦୁର ରାସ୍ତାକଡ଼ରେ ଥିବା ଏକ କାଜୁ ଜଙ୍ଗଲରୁ ମାନସଙ୍କ ଗାଡି ଏବଂ ମୃତଦେହ ମିଳିଥିଲା ।
ମାନସଙ୍କ ବେକରେ ଛୁରି ଆଘାତ ହୋଇଥିବାବେଳେ ମୁହଁରେ କଳା ସେଲୋଟେପ ମରାଯାଇଛି । ମୃତଦେହ ନିକଟରେ ମାନସଙ୍କ ଗାଡି, ମୋବାଇଲ୍ ଏବଂ ହତ୍ୟାରେ ବ୍ୟବହୃତ ଛୁରି ପଡ଼ିଛି । ମୃତଦେହକୁ ଏକ କାଜୁ ଗଛରେ ଓହଳାଇ ଦିଆଯାଇଛି । ମାନସଙ୍କର କାହା ସହିତ ଶତୃତା ନ ଥିଲା ବୋଲି ପରିବାର ଲୋକେ କହିଛନ୍ତି । ଘଟଣାସ୍ଥଳରେ ଶରଣକୂଳ ଏସଡିପିଓ, ରଣପୁର ଥାନାଅଧିକାରୀ ଏବଂ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।










