କଟକ:ବିଜୟା ଦଶମୀରେ ମାଆଙ୍କ ଦର୍ଶନ କରି ହସଖୁସିରେ ହଷ୍ଟେଲକୁ ଫେରୁଥିଲେ। ମନରେ ଥିଲା ଅନେକ ସ୍ୱପ୍ନ, ଆଖିରେ ଥିଲା ଭବିଷ୍ୟତର ନୂଆ ଆଶା। ହେଲେ ଅଧାବାଟରେ ଛକି ବସିଥିଲା ମୃତ୍ୟୁ। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅକାଳରେ ଝଡ଼ିପଡ଼ିଛି ଓଡ଼ିଶା କ୍ରୀଡ଼ା ଜଗତର ଦୁଇ ଉଦୀୟମାନ ପ୍ରତିଭାଙ୍କ ଜୀବନ। ଜୟରାମ ଦଣ୍ଡପତି ଓ ମଳୟ ବାରିକଙ୍କ ଦୁଃଖଦ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ବୁଧବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ କଟକ-ଭୁବନେଶ୍ୱର ଜାତୀୟ ରାଜପଥର ନଖରାସ୍ଥିତ ଏକ କାର୍ ଶୋ’ରୁମ୍ ସମ୍ମୁଖରେ ଘଟିଥିଲା ଏହି ଦୁର୍ଘଟଣା। ଦୁର୍ଗାପୂଜା ଅବସରରେ ମାଆଙ୍କ ଦର୍ଶନ ସାରି ଫେରୁଥିବା ଦୁଇ ଯୁବ ଆଥଲେଟ୍ଙ୍କ ବାଇକ୍ ଭାରସାମ୍ୟ ହରାଇ ଡିଭାଇଡର୍ରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ଉଭୟ ଗୁରୁତର ଆହତ ହୋଇଥିଲେ। ରକ୍ତାକ୍ତ ଅବସ୍ଥାରେ ଉଭୟଙ୍କୁ ତୁରନ୍ତ କଟକସ୍ଥିତ ଏସ୍ସିବି ମେଡିକାଲ୍କୁ ନିଆଯାଇଥିଲା। କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପରେ ଉଭୟଙ୍କୁ ମୃତ ଘୋଷଣା କରାଯାଇଥିଲା। ଗୋଟିଏ ମୁହୂର୍ତ୍ତରେ ଦୁଇ ପରିବାରର ଆଶା ଓ ସ୍ୱପ୍ନ ଭାଙ୍ଗିଯିବା ସହ ରାଜ୍ୟ କ୍ରୀଡ଼ା ଜଗତକୁ ମିଳିଛି ଏକ ବଡ଼ ଝଟ୍କା।ମୃତ ଜୟରାମ ଦଣ୍ଡପତି ଓ ମଳୟ ବାରିକ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଥିବା ରିଲାଏନ୍ସ ହାଇ ପରଫରମାନ୍ସ ସେଣ୍ଟରରେ ରହି ପ୍ରଶିକ୍ଷଣ ନେଉଥିଲେ। ଦୁର୍ଗାପୂଜା ପାଇଁ ହଷ୍ଟେଲରୁ ବାହାରି ମାଆଙ୍କ ଦର୍ଶନ କରିବାକୁ ଯାଇଥିବା ଏହି ଦୁଇ ଯୁବକ ଫେରିବା ବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ସେମାନେ ସମ୍ଭବତଃ କଟକରୁ ଭୁବନେଶ୍ୱର ଫେରୁଥିଲେ।










