କଟକ : ଆସନ୍ତା ୧୪ରୁ ଅନୁଷ୍ଠିତ ହେବାକୁ ଯାଉଛି ସହରରେ ଗଣେଶ ପୂଜା । ଏହି ପୂଜା ଓ ଭସାଣ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ସପନ୍ନ କରିବା ପାଇଁ କଟକ କମିସନରେଟ ପୁଲିସ ଓ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାଙ୍କୁ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସହିଦଭବନରେ ଆୟୋଜିତ ବୈଠକରେ ଡିସିପି ଋଷିକେଶ ଖିଲାରୀ ଅଧ୍ୟକ୍ଷତା କରିଥିଲେ ।
ପୁଲିସ କମିସନର ଏସ୍. ଦେବଦତ୍ତ ସିଂହ ଯୋଗଦେଇ ପୂଜା ପାଇଁ ବେଆଇନ ତଥା ଜୋର୍ଜୁଲମ ଚାନ୍ଦା ଆଦାୟକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ । ସେହିପରି ବିକୃତ ମୂର୍ତ୍ତି ନ ଗଢ଼ିବାକୁ ପରାମର୍ଶ ଦେଇଛନ୍ତି । ତେବେ ଚଳିତ ବର୍ଷ ଗଣେଶ ପୂଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭସାଣ ପାଇଁ ଆବଶ୍ୟକ ହେଉଥିବା ଅନୁମତିକୁ ସିଙ୍ଗଲ୍ ୱିଣ୍ଡୋ ସିଷ୍ଟମ୍ କରିବାକୁ ସିପି ପରାମର୍ଶ ଦେଇଛନ୍ତି ।୪ଟି ଟ୍ରଲି ରିକ୍ସା ଓ ୬ଟି ସାଉଣ୍ଡ୍ ବକ୍ସରେ ଶୋଭାଯାତ୍ରା ଯିବ । ଯେଉଁ କ୍ଳବ୍ ଗୁଡ଼ିକ ଯେଉଁ ରୁଟ୍ରେ ଯାଉଥିଲେ ସେଗୁଡ଼ିକ ସେହି ଅନୁସାରେ ଯିବେ । ଚଳିତ ବର୍ଷ ଗଣେଶ ପୂଜା ପରର ୩ଟି ରବିବାର ଭସାଣ କରିବାକୁ ପୁଲିସ କହିଛି । ଏହି ଅନୁସାରେ ଆସନ୍ତା ୨୦ରେ ପ୍ରଥମ ପର୍ଯ୍ୟାୟ ଭସାଣ, ୨୭ରେ ଦ୍ୱିତୀୟ ଏବଂ ଅକ୍ଟୋବର ୪ରେ ତୃତୀୟ ପର୍ଯ୍ୟାୟ ଭସାଣ ହେବ ବୋଲି ଡିସିପି କହିଛନ୍ତି । ତେବେ ୪ ତାରିଖ ବୁଢ଼ା ଗଣେଶ ଭସାଣକୁ ନେଇ ଶାନ୍ତି କମିଟି ଓ ମହାନଗର ପୂଜା କମିଟି ଅନ୍ୟ ଏକ ପ୍ରସ୍ତାବ ଦେଇଛି । ଏହାକୁ ୧୧ ତାରିଖରେ କରାଯାଉ ବୋଲି ଶାନ୍ତି କମିଟି କହିଛି । ତେଣୁ ଏହାକୁ ପୁଲିସ ଗ୍ରହଣ କଲେ ୧୧ ତାରିଖରେ ମଧ୍ୟ କିଛି ଗଣେଶ ପ୍ରତିମା ବିସର୍ଜିତ ହେବ । ଏଥିସହିତ ମଣ୍ଡପ ଗୁଡ଼ିକରେ ଉଚ୍ଚମାନର ବିଦ୍ୟୁତ୍ ତାର ଓ ଯନ୍ତ୍ରାଂଶ ଲଗାଯାଉ ବୋଲି ଡିସିପି ନିର୍ଦ୍ଦେଶ ଦେଇଛନ୍ତି ।










