ଭୁବନେଶ୍ବର: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଆଜି ମଧ୍ୟାହ୍ନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ବୋଲି ସୂଚନା ମିଳିଛି। ରାଜ୍ୟପାଳଙ୍କ ସହ ଝାଡ଼ଖଣ୍ଡରୁ ପ୍ରାୟ ୩୦୦ଜଣ ଅତିଥି ଆସିବେ। ଆସନ୍ତା ୧୮ତାରିଖରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ। ଏଥିପାଇଁ ଓଡ଼ିଶା ଲୋକଭବନ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଶେଷ ହୋଇଛି। ୧୮ତାରିଖ ପୂର୍ବାହ୍ନ ୧୧ଟାରେ ଲୋକଭବନର ନୂଆ ଅଭିଷେକ ହଲ୍ରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ନୂଆ ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ। କାର୍ଯ୍ୟସୂଚୀ ଅନୁଯାୟୀ, ଆଜି ସକାଳ ୧୧ଟା ୩୦ରେ ସେ ରାଞ୍ଚିର ବିର୍ସା ମୁଣ୍ଡା ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ଯାତ୍ରା କରିବେ। ମଧ୍ୟାହ୍ନ ୧୨ଟା ୩୦ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ସ୍ୱାଗତ କରାଯିବା ସହ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ । ବିମାନବନ୍ଦରରୁ ରାଜ୍ୟପାଳ ପୁରୀ ଯିବେ। ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ। ସନ୍ଧ୍ୟାରେ ପୁରୀରୁ ଭୁବନେଶ୍ୱର ଫେରି ରାତି ୭ଟା ୨୫ରେ ଲୋକଭବନରେ ପହଞ୍ଚିବେ। ରାଜ୍ୟପାଳଙ୍କ ଆଗମନ ଓ ଶପଥ ଗ୍ରହଣକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି।










