ଭୁବନେଶ୍ୱର: ଓଡିଶାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କର୍ମକର୍ତ୍ତା ମାନଙ୍କୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଅଭିନନ୍ଦନ ଜଣାଇଛନ୍ତି । ଅମିତ ଶାହ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଲେଖିଛନ୍ତି, ଓଡିଶାର ଛାତ୍ର ସଂସଦ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ଏବିଭିପି ଓଡିଶାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ପ୍ରଥମେ ପଞ୍ଜାବ ବିଶ୍ୱବିଦ୍ୟାଳୟ, ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଏବେ ଓଡ଼ିଶାର ୧୩ଟି ବିଶ୍ୱବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଏହି ବିଜୟ ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ, ଦେଶର ଯୁବଶକ୍ତି ମିଥ୍ୟା, ଭ୍ରମ ଓ ବିଶୃଙ୍ଖଳା ସୃଷ୍ଟି କରୁଥିବା ଶକ୍ତିମାନଙ୍କ ସହ ନୁହେଁ, ବରଂ ‘ରାଷ୍ଟ୍ର ପ୍ରଥମ’ ବିଚାରଧାରା ସହ ଦୃଢ଼ତାର ସହ ଛିଡା ହୋଇଛନ୍ତି। ଏହି ଫଳାଫଳ ଦେଶବିରୋଧୀ ଶକ୍ତିମାନଙ୍କ ପାଇଁ ଏକ କଡ଼ା ଜବାବ।ବିରୋଧୀଙ୍କ ବିଭାଜନକାରୀ ରାଜନୀତିକୁ ପଛରେ ପକାଇ, ଛାତ୍ରହିତ ଓ ରାଷ୍ଟ୍ରହିତ ସପକ୍ଷରେ ଓଡ଼ିଶାର ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ଅକୁଣ୍ଠ ସମର୍ଥନ ସହ ରାଜ୍ୟର ଶତାଧିକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ବିପୁଳ ବିଜୟ ହାସଲ କଲା
ଏଣେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ଏବିଭିପିକୁ ଅଭିନନ୍ଦନ ଜଣାଇଛନ୍ତି। ଏନେଇ ସେ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ‘ଏକ୍ସ’ରେ ଲେଖିଛନ୍ତି, ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)କୁ ମୋର ଆନ୍ତରିକ ଅଭିନନ୍ଦନ। ଏହି ବିଜୟ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦି ଜୀଙ୍କ ପ୍ରତି ଯୁବପିଢ଼ି (Gen Z)ଙ୍କ ଅତୁଟ ଆସ୍ଥା ଓ ବିଶ୍ୱାସର ପ୍ରତୀକ। ମୁଁ ଆଶା କରୁଛି ଯେ ‘ଜ୍ଞାନ, ଶୀଳ ଓ ଏକତା’ର ଆଦର୍ଶରେ ଗଢ଼ା ଏହି ସଂଗଠନ ସାଧାରଣ ଛାତ୍ରଛାତ୍ରୀଙ୍କ ସ୍ୱରକୁ ସମ୍ମାନ ଦେବା ସହ କ୍ୟାମ୍ପସରେ ଏକ ସୁସ୍ଥ ଶୈକ୍ଷିକ ବାତାବରଣ ଗଢ଼ିତୋଳିବ। ରାଷ୍ଟ୍ର ନିର୍ମାଣର ଏହି ମହାନ ଯାତ୍ରାରେ ସମସ୍ତ ବିଜୟୀ ପ୍ରତିନିଧିଙ୍କ ସଫଳ କାର୍ଯ୍ୟକାଳ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।










