ନୂଆଦିଲ୍ଲୀ: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍ଏସ୍ଏସ୍)କୁ ତୀବ୍ର ଆକ୍ରମଣ ରାଜନୈତିକ ଝଡ଼ ସୃଷ୍ଟି କରିଛି। ସଂଘର ବାର୍ଷିକ ବିଜୟ ଦଶମୀ ଉତ୍ସବ ଅବସରରେ ମଙ୍ଗଳବାର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ରାହୁଲ କହିଛନ୍ତି, ଆର୍ଏସ୍ଏସ୍ ସମ୍ବିଧାନ ବିରୋଧୀ କେବଳ ପୁରୁଷଥିବା ସଙ୍ଗଠନ। ସଂଘରେ ମହିଳାଙ୍କୁ ପୁରୁଷଙ୍କ ସମ୍ପତ୍ତି ଭାବେ ଦେଖାଯାଏ। ରାହୁଲ ଆହୁରି କହିଛନ୍ତି, ସେ ଶିବ-ଶକ୍ତିରେ ବିଶ୍ବାସ କରନ୍ତି ତେଣୁ ତାଙ୍କୁ ଆର୍ଏସ୍ଏସ୍ ବିରୋଧରେ ଲଢ଼ିବାକୁ ତାଙ୍କୁ ଭଲ ଲାଗେ। ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ତେଲେଙ୍ଗାନା ବିଜେପି ମୁଖ୍ୟ ଏନ୍ ରାମଚନ୍ଦର ତୀବ୍ର ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧୀଙ୍କ ପାର୍ଟିରେ କେତେ ମହିଳା ବଡ଼ ପଦବୀରେ ଅଛନ୍ତି ବୋଲି ରାଓ ପ୍ରଶ୍ନ କରିଛନ୍ତି। ତାଙ୍କ ଦଳ ଯେଉଁ ରାଜ୍ୟରେ ଶାସନ କରୁଛନ୍ତି ମହିଳାଙ୍କୁ ସେଠାରେ କ’ଣ ପଦବୀ ମିଳିଛି ବୋଲି ସେ ପ୍ରଶ୍ନ କରିବା ସହିତ ବିଜେପି ଜାତୀୟ ରାଜଧାନୀରେ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଛି ବୋଲି କହିଛନ୍ତି।
ଗାନ୍ଧୀଙ୍କ ମନ୍ତବ୍ୟ ଉପରେ ଜବାବ ଦେଇ ମହାରାଷ୍ଟ୍ରର ବିଜେପି ବିଧାୟକ ରାମ କଦମ କହିଛନ୍ତି, ରାହୁଲ ଗାନ୍ଧୀ ପ୍ରାୟତଃ ଆର୍ଏସ୍ଏସ୍ ବିଷୟରେ ମନ୍ତବ୍ୟ ଦିଅନ୍ତି। ଯଦିଓ ତାଙ୍କର ରାଜନୈତିକ ଅଭିଯୋଗ, ପ୍ରତିଆରୋପ ଓ ତୀବ୍ର ସମାଲୋଚନା କରିବାର ଅଧିକାର ନିଶ୍ଚିତ ଭାବରେ ଅଛି, କିନ୍ତୁ ତାଙ୍କୁ ଉପଯୁକ୍ତ ଅଧ୍ୟୟନ ପରେ ହିଁ ଏହା କରିବା ଉଚିତ।
ସେ କ”ଣ ଜାଣନ୍ତି ନାହିଁ ଯେ, ଆର୍ଏସ୍ଏସ୍ର ମଧ୍ୟ ମହିଳାଙ୍କ ପାଇଁ ଏକ ଶାଖା ଅଛି? ଏହା ସମଗ୍ର ଦେଶରେ କାର୍ଯ୍ୟ କରେ ଓ ମହିଳାମାନେ ପୁରୁଷମାନଙ୍କ ପରି ସମାନ ସ୍ତରର ପ୍ରମୁଖତା ସହିତ ଏଥିରେ କାର୍ଯ୍ୟ କରନ୍ତି ବୋଲି କଦମ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଏପରି ପିଲାଳିଆମୀ ମନ୍ତବ୍ୟ ବିରୋଧୀ ଦଳ ନେତାଙ୍କୁ ଶୋଭା ଦିଏ ନାହିଁ।










