25.1 C
Bhubaneswar
Wednesday, October 21, 2026
Homeଓଡିଶାଇଣ୍ଡିଆ କେମ୍ ୨୦୨୬ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆ କେମ୍ ୨୦୨୬ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁମ୍ବାଇଠାରେ ଅକ୍ଟୋବର ୨୨ରୁ ଆରମ୍ଭ ହେଉଥିବା  ‘ଇଣ୍ଡିଆ କେମ୍ ୨୦୨୬’ (India Chem 2026) ସମ୍ମିଳନୀରେ ଓଡ଼ିଶା ନିଜର ଶିଳ୍ପ ଦକ୍ଷତା, ବିଶାଳ ଭିତ୍ତିଭୂମି, ପ୍ରଗତିଶୀଳ ନୀତି ଏବଂ ନିବେଶ ସମ୍ଭାବନାକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବ। ଏହି ଦୁଇଦିନିଆ ଗସ୍ତ କାଳରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘ଇଣ୍ଡିଆ କେମ୍ ୨୦୨୬’ର ଉଦ୍‌ଘାଟନୀ ସମାରୋହ ଏବଂ ହାଇ-ପ୍ରୋଫାଇଲ୍ ‘ସିଇଓ ରାଉଣ୍ଡଟେବୁଲ୍’ ବୈଠକରେ ଯୋଗଦେବେ।

ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ମୁମ୍ବାଇ ଗସ୍ତ କରି ୨୨ ଓ ୨୩ ତାରିଖ ଦୁଇ ଦିନ ଧରି କେମିକାଲ ଓ ପେଟ୍ରୋ-କେମିକାଲ କ୍ଷେତ୍ରର ଉଦ୍ୟୋଗପତି ଓ ସିଇଓ ମାନଙ୍କ ସହିତ ଆଲୋଚନା କରି ଓଡିଶାରେ ନିବେଶ ପାଇଁ ପ୍ରସ୍ତାବ ରଖିବେ। ୨୩ ତାରିଖ ଦିନ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିଆସିବେ।କେନ୍ଦ୍ର ରସାୟନ, ସାର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେ. ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦେଶ-ବିଦେଶର ୨୦ରୁ ଉର୍ଦ୍ଧ୍ୱ ପ୍ରମୁଖ ଶିଳ୍ପ ସଂସ୍ଥାର କର୍ପୋରେଟ୍ ଅଧ୍ୟକ୍ଷ ମାନଙ୍କ ସହ ସିଧାସଳଖ ‘ୱାନ୍-ଟୁ-ୱାନ୍’ (ସାକ୍ଷାତକାର) ଆଲୋଚନା କରିବେ। ବିଶେଷ କରି ଡାଉନ୍‌ଷ୍ଟ୍ରିମ୍ ଉତ୍ପାଦନ, ଶିଳ୍ପ ପ୍ରସାର ଏବଂ ନୂତନ ପ୍ରକଳ୍ପ ସ୍ଥାପନ ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।

ସୂଚନା ଯୋଗ୍ୟଯେ, ଏହି ସମ୍ମିଳନୀରେ ରାଜ୍ୟର ଅଂଶଗ୍ରହଣର ଅନ୍ୟତମ ମୁଖ୍ୟ ଆକର୍ଷଣ ହେବ ‘କୋଇଲା ଗ୍ୟାସୀକରଣ ପ୍ରକଳ୍ପ’ (Coal Gasification Project) ଯାହା ଓଡ଼ିଶା ପାଇଁ ଶିଳ୍ପ ବିକାଶର ଏକ ନୂତନ ସୁଯୋଗ ସୃଷ୍ଟି କରିବ। ଏହା ସହିତ, ଶିଳ୍ପ ପରିବେଶକୁ ଅଧିକ ମଜବୁତ୍ କରିବା, Value Additionକୁ ପ୍ରୋତ୍ସାହିତ କରିବା ଏବଂ ରସାୟନ, ପେଟ୍ରୋକେମିକାଲ୍ସ, ପ୍ଲାଷ୍ଟିକ୍ସ ଓ ପ୍ୟାକେଜିଂ କ୍ଷେତ୍ରରେ ନିବେଶ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର, ବୃହତକାୟ କେମିକାଲ୍ ଶିଳ୍ପ ପାର୍କ ପ୍ରତିଷ୍ଠା ନେଇ ଘୋଷଣା କରିପାରନ୍ତି।

ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ ତାମିଲନାଡୁ ଭଳି ରାଜ୍ୟଗୁଡ଼ିକ ସହିତ ଓଡ଼ିଶା ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବ। ଏହି କାର୍ଯ୍ୟକ୍ରମ ଓଡ଼ିଶାକୁ ନିଜର ଦକ୍ଷତା ପ୍ରଦର୍ଶନ କରିବା ସହ ଜାତୀୟ ଏବଂ ଅନ୍ତର୍ଜାତୀୟ ଶିଳ୍ପ ଅଂଶୀଦାରମାନଙ୍କ ସହ ସମ୍ପର୍କ ଅଧିକ ସୁଦୃଢ଼ କରିବାର ସୁଯୋଗ ଦେବ।ମହାରାଷ୍ଟ୍ର, ଗୁଜରାଟ ଭଳି ରାଜ୍ୟଗୁଡ଼ିକ ଦଶନ୍ଧି ଧରି ପ୍ରମୁଖ ରସାୟନ ଓ ପେଟ୍ରୋକେମିକାଲ୍ସ ହବ୍ ଭାବେ ପ୍ରତିଷ୍ଠିତ ହୋଇସାରିଥିବା ବେଳେ, ଓଡ଼ିଶା ନିଜର ସମୃଦ୍ଧ ସମ୍ପଦ, ଶିଳ୍ପ ଭିତ୍ତିଭୂମି ଏବଂ ସହାୟକ ନୀତିଗତ ଢାଞ୍ଚାକୁ ବ୍ୟବହାର କରି ଏହି କ୍ଷେତ୍ରରେ ଏକ ଅଗ୍ରଣୀ ନିବେଶ ଗନ୍ତବ୍ୟସ୍ଥଳ ଭାବେ ନିଜକୁ ଗଠିତ କରୁଛି। ଖଣି ଓ ଧାତୁ ଶିଳ୍ପରେ ରାଜ୍ୟର ସ୍ଥାପିତ ଦକ୍ଷତା ଡାଉନ୍‌ଷ୍ଟ୍ରିମ୍ ରସାୟନ ଓ ପେଟ୍ରୋକେମିକାଲ୍ସ ଶିଳ୍ପର ପ୍ରସାର, ମୂଲ୍ୟ ବୃଦ୍ଧି ଏବଂ ଉଚ୍ଚ-ମୂଲ୍ୟଯୁକ୍ତ ଉତ୍ପାଦନରେ ନିବେଶ ଆକର୍ଷିତ କରିବା ପାଇଁ ଏକ ମଜବୁତ୍ ଭିତ୍ତିଭୂମି ଯୋଗାଉଛି।

ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା ନିବେଶ ଆକର୍ଷିତ କରିବା, ପ୍ରକଳ୍ପର ଶୀଘ୍ର କାର୍ଯ୍ୟକାରିତା ଏବଂ ରୋଜଗାର ସୁଯୋଗ ସୃଷ୍ଟି ଉପରେ ଧ୍ୟାନ ଦେଇ ଏକ ଉଦୀୟମାନ ଶିଳ୍ପ ଗନ୍ତବ୍ୟସ୍ଥଳ ଭାବେ ନିଜ ସ୍ଥିତିକୁ ମଜବୁତ୍ କରିବାରେ ସଫଳ ହୋଇଛି। ରସାୟନ ଓ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ, ରାଜ୍ୟ ୫୬ଟି କମ୍ପାନୀକୁ ଆକର୍ଷିତ କରିଛି, ଯାହା ମାଧ୍ୟମରେ ୧,୯୩,୦୮୭.୯୪ କୋଟି ଟଙ୍କାର ପ୍ରସ୍ତାବିତ ନିବେଶ ଏବଂ ୧,୧୨,୩୨୪ ଜଣ ଆଶାୟୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।ଶିଳ୍ପ ବିକାଶ ପ୍ରୟାସର ଅଂଶ ସ୍ୱରୂପ, ଏହି କ୍ଷେତ୍ରରେ ୨୭ଟି ପ୍ରକଳ୍ପର ଶିଳାନ୍ୟାସ କିମ୍ବା ଉଦ୍‌ଘାଟନ କରାଯାଇସାରିଛି, ଯାହାର ମୋଟ ନିବେଶ ମୂଲ୍ୟ ୬୦,୮୨୫.୩୪ କୋଟି ଟଙ୍କା ଏବଂ ଏହା ଦ୍ୱାରା ୩୫,୩୫୧ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ସଫଳତା ନିବେଶ ପ୍ରତିଶ୍ରୁତିକୁ ବାସ୍ତବ ଶିଳ୍ପ କାର୍ଯ୍ୟକଳାପରେ ପରିଣତ କରିବା, ଉତ୍ପାଦନ ଦକ୍ଷତା ବୃଦ୍ଧି କରିବା ଏବଂ ନିଯୁକ୍ତି ସୁଯୋଗ ସମ୍ପ୍ରସାରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।

ଇଣ୍ଡିଆ କେମ୍ ୨୦୨୬ରେ ଓଡ଼ିଶାର ଅଂଶଗ୍ରହଣ ସମ୍ପର୍କରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା କହିଛନ୍ତି, ଯେ ଓଡ଼ିଶାର ଏକ ସୁଦୃଢ଼ ଶିଳ୍ପ ଭିତ୍ତିଭୂମି ରହିଛି ଏବଂ ବର୍ତ୍ତମାନ ଆମେ ରସାୟନ ଓ ପେଟ୍ରୋକେମିକାଲ୍ସ ଭଳି ଉଚ୍ଚ-ସମ୍ଭାବନାଯୁକ୍ତ କ୍ଷେତ୍ରରେ ନିଜର ସ୍ଥିତି ବିସ୍ତାର କରିବା ଉପରେ ଧ୍ୟାନ ଦେଉଛୁ। ଇଣ୍ଡିଆ କେମ୍ ୨୦୨୬ରେ ଆମର ଭାଗିଦାରୀ ପ୍ରମୁଖ କମ୍ପାନୀଗୁଡ଼ିକ ସହ ସିଧାସଳଖ ଆଲୋଚନା କରିବା, ରାଜ୍ୟର ନିବେଶ ସୁଯୋଗଗୁଡ଼ିକୁ ଉପସ୍ଥାପନ କରିବା ଏବଂ ଭବିଷ୍ୟତର ଅଭିବୃଦ୍ଧି ପାଇଁ ସହଯୋଗିତା ସ୍ଥାପନ କରିବାର ସୁଯୋଗ ଦେବ। ଆମର ଶିଳ୍ପ ଭିତ୍ତିଭୂମି, ପ୍ରଗତିଶୀଳ ନୀତି ଏବଂ ସମ୍ପଦର ସୁବିଧା ସହିତ, ଆମେ ରସାୟନ ଓ ପେଟ୍ରୋକେମିକାଲ୍ସ ଶିଳ୍ପ ପାଇଁ ଏକ ପ୍ରତିଯୋଗିତାମୂଳକ ପରିବେଶ ପ୍ରସ୍ତୁତ କରିବାକୁ କାର୍ଯ୍ୟ କରୁଛୁ। ପ୍ରସ୍ତାବିତ ସ୍ୱତନ୍ତ୍ର ବୃହତ୍ କେମିକାଲ୍ ଶିଳ୍ପ ପାର୍କ ଏବଂ କୋଇଲା ଗ୍ୟାସୀକରଣ ଉପରେ ଆମର ଧ୍ୟାନ ଏହି ପ୍ରୟାସକୁ ଆହୁରି ମଜବୁତ୍ କରିବ ଏବଂ ନିବେଶ, ମୂଲ୍ୟ ବୃଦ୍ଧି ଓ ନିଯୁକ୍ତି ସୃଷ୍ଟି ପାଇଁ ନୂତନ ପଥ ଉନ୍ମୋଚନ କରିବ।ଇଣ୍ଡିଆ କେମ୍ ୨୦୨୬ରେ ଭାଗନେବା ମାଧ୍ୟମରେ, ଓଡ଼ିଶା ରସାୟନ ଓ ପେଟ୍ରୋକେମିକାଲ୍ସ ନିବେଶ ପାଇଁ ଏକ ପସନ୍ଦଯୋଗ୍ୟ ଗନ୍ତବ୍ୟସ୍ଥଳ ଭାବେ ଉଭା ହେବାର ନିଜର ଆକାଂକ୍ଷାକୁ ଦୋହରାଇବ, ଯାହା ନିଜର ବିଦ୍ୟମାନ ଶିଳ୍ପ ଶକ୍ତି ଉପରେ ଆଧାରିତ ହୋଇ ଉତ୍ପାଦନ, ଅନୁଷଙ୍ଗିକ ଶିଳ୍ପ ଏବଂ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking