କଟକ : ମାହାଙ୍ଗାରେ ଚାଞ୍ଚଲ୍ୟକର ଘଟଣା । ରାସ୍ତାକଡ଼ରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଏଥିସହ ତାଙ୍କ ପୁରୁଷ ବନ୍ଧୁଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ମାଡ଼ ମାରିଥିବା ଅଭିଯୋଗ ରହିଛି । ଘଟଣା ସମ୍ପର୍କରେ କଟକ ଗ୍ରାମାଞ୍ଚଳ ପୁଲିସ ସୂଚନା ଦେଇଛି ।
ସୂଚନା ଅନୁସାରେ, ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କେନ୍ଦ୍ରାପଡ଼ା ଯାଉଥିଲେ । ରାସ୍ତାକଡ଼ରେ କାର୍ ରଖି ସେମାନେ କିଛି ସମୟ ପାଇଁ ଅଟକିଥିଲେ । ଏହି ସମୟରେ ୬ ଜଣ ଯୁବକ ସେଠାରେ ପହଞ୍ଚି ଯୁବତୀଙ୍କୁ କାର୍ରୁ ବାହାରିବାକୁ କହିଥିଲେ । ଅଭିଯୋଗ ଅନୁସାରେ, କାର୍ର ଡୋର୍ ନଖୋଲିବାରୁ ଅଭିଯୁକ୍ତମାନେ ଚିମୁଟାରେ କାର୍ର କାଚ ଭାଙ୍ଗି ଯୁବତୀଙ୍କୁ ବାହାରକୁ ଟାଣି ନେଇଥିଲେ । ପରେ ରାସ୍ତାପାର୍ଶ୍ୱରେ ଥିବା ଏକ ଭଙ୍ଗା ଘରକୁ ନେଇ ତାଙ୍କୁ ଗଣଦୁଷ୍କର୍ମ କରିଥିବା ପୁଲିସ କହିଛି । ଏହି ସମୟରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ।ଘଟଣାକୁ ନେଇ ନିଶ୍ଚିନ୍ତକୋଇଲି ଥାନାରେ ମାମଲା ରୁଜୁ ହୋଇଛି । ଏଯାବତ୍ ୨ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଜଣେ ଡିଏସ୍ପିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା କଟକ ଗ୍ରାମାଞ୍ଚଳ ଏସ୍ପି ସୂଚନା ଦେଇଛନ୍ତି । ଘଟଣାରେ ପୁଲିସର ତଦନ୍ତ ଜାରି ରହିଛି ।










