ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ତଥା ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ବୁଲା କୁକୁରଙ୍କ ସଂଖ୍ୟା ବଢ଼ିବା ଏବଂ ସେମାନଙ୍କ ଉପଦ୍ରବକୁ ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ ସୁଦ୍ଧା ବାସ୍ତବରେ ସ୍ଥିତିରେ କୌଣସି ସୁଧାର ଆସୁନାହିଁ । ଆଜି ନୀଳଗିରି ସଦର ଥାନା ଅଧୀନ ରସାଳପୁର ଗ୍ରାମର ଭୀମପୁର ସରକାରୀ ବିଦ୍ୟାଳୟ ପରିସରରେ ଏକ ଭୟଙ୍କର ଅଘଟଣ ଘଟିଛି । ବିଦ୍ୟାଳୟ ଭିତରେ ପାଠ ପଢ଼ୁଥିବା ସମୟରେ ଜଣେ ନାବାଳକ ଛାତ୍ର ବୁଲା କୁକୁରର ଭୟଙ୍କର ଆକ୍ରମଣର ଶିକାର ହୋଇଛନ୍ତି । ପାଗଳ କୁକୁରଟି ଛାତ୍ର ଜଣକର ଆଙ୍ଗୁଠିକୁ ଏପରି ଭାବେ କାମୁଡ଼ି ଦେଇଛି ଯେ ତାହା ଶରୀରରୁ ସମ୍ପୂର୍ଣ୍ଣ ଛିଣ୍ଡି ଅଲଗା ହୋଇଯାଇଛି ।
ଆହତ ଛାତ୍ର ଜଣକ ହେଉଛନ୍ତି ତୃତୀୟ ଶ୍ରେଣୀରେ ପଢ଼ୁଥିବା ପବିତ୍ର କୁମାର ରଣା । ସେ ଶ୍ରେଣୀ ଗୃହରେ ବସି ପାଠ ପଢ଼ୁଥିବା ବେଳେ ହଠାତ୍ ଏକ ବୁଲା କୁକୁର ଭିତରକୁ ପଶି ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ଏହି ଘଟଣା ପରେ ରକ୍ତାକ୍ତ ଅବସ୍ଥାରେ ପବିତ୍ରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏବଂ ଆଙ୍ଗୁଠି ଛିଣ୍ଡି ଯାଇଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।
ବିଦ୍ୟାଳୟ ପରିସର ମଧ୍ୟରେ ଛାତ୍ରଙ୍କ ସୁରକ୍ଷାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ କରି ଗ୍ରାମବାସୀମାନେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି। ଶ୍ରେଣୀ ଗୃହ ଭିତରକୁ ବୁଲା କୁକୁର ପଶିଲା କେମିତି ଏବଂ ପିଲାଙ୍କ ସୁରକ୍ଷା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ କାହିଁକି ସତର୍କ ନଥିଲେ, ତାହାକୁ ନେଇ ଗ୍ରାମବାସୀମାନେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଏଭଳି ବାରମ୍ବାର ଘଟଣା ସତ୍ତ୍ୱେ ପ୍ରଶାସନ କାହିଁକି ନିରବ ରହୁଛି ଏବଂ ଏହି ଅବହେଳା ପାଇଁ କିଏ ଉତ୍ତରଦାୟୀ ହେବ, ତାହା ଏବେ ଏକ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି ।










