ଭୁବନେଶ୍ବର : ରାଜ୍ୟରେ ଚଳିତ ବନ୍ୟାରେ କ୍ଷୟକ୍ଷତିର ଆକଳନ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା । ଓଡ଼ିଶାରେ ଗୋଟିଏ ପରେ ଗୋଟିଏ ବନ୍ୟା ଆସୁଛି । ବର୍ଷା ଓ ଲଘୁଚାପର ପୁଣି ସମ୍ଭାବନା ଅଛି । ବନ୍ୟା ବି ହେଉଛି । ଗତ ୧୫ ଦିନ ଭିତରେ ୨୪ଟି ଜିଲ୍ଲାର ୧୫୪ଟି ବ୍ଲକର ୮୭୯ ଗୋଟି ଗ୍ରାମ ପଞ୍ଚାୟତ ଏବଂ ୨୮୫୫ଟି ଗାଁ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଛି । ସହରାଞ୍ଚଳରେ ୨୦୯ଟି ୱାର୍ଡରେ ୧୩ ଲକ୍ଷ ୭୧ ହଜାର ୩୩୮ ଲୋକ ପ୍ରଭାବିତ ହୋଇଛନ୍ତି । ୭ ଲକ୍ଷ ୨୨ ହଜାର ୭୩୨ ଲୋକଙ୍କୁ ପର୍ଯ୍ୟାୟକ୍ରମେ ୩୬୬ଟି ଗାଁରୁ ସ୍ଥାନାନ୍ତରିତ କରାଯାଇଛି। ୭୯ ହଜାର ୮୨୪ ହେକ୍ଟର ଚାଷ ଜମି, ୫୦୪୪ ଘର କ୍ଷତିଗ୍ରସ୍ତ ହୋଇଛି । କୌଣସି କେନ୍ଦ୍ରୀୟ ଟିମ୍ ଆସିବାର ଯୋଜନା ନାହିଁ । ଆବଶ୍ୟକ ହେଲେ କେନ୍ଦ୍ରକୁ ଅଧିକ ସହାୟତା ମାଗିବୁ । ଏବେ ସେକଥା ଚିନ୍ତା କରାଯାଇନି । କ୍ଷୟକ୍ଷତିର ଆକଳନ ପରେ ଜଣାପଡ଼ିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ।










