ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ନୂଆଦିଲ୍ଲୀଠାରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ର ସମଗ୍ର ସ୍ଥିତି ସମୀକ୍ଷା କରାଯିବା ସହ ସୀମା ନିର୍ଦ୍ଧାରଣ, ସୀମା ପରିଚାଳନା ଏବଂ ସୀମାପାର ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରମୁଖ ମୁଦ୍ଦା ଉପରେ ଆଲୋଚନା ହୋଇଥିବା ନେଇ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି।
”ୱାର୍କିଂ ମେକାନିଜିମ୍ ଫର୍ କନସଲଟେସନ୍ ଏଣ୍ଡ କୋଅର୍ଡିନେସନ୍ ଅନ୍ ଇଣ୍ଡିଆ-ଚାଇନା ବୋର୍ଡର ଆଫେୟାର୍ସ” (ଡବ୍ଲୁଏମସିସି) ଢାଞ୍ଚା ଅଧୀନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଦୁଇ ପକ୍ଷ ମଧ୍ୟରେ ସୀମା ସ୍ଥିତିକୁ ନେଇ ଖୋଲାଖୋଲି ଆଲୋଚନା ହୋଇଛି। ସୀମାଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦ୍ୱିପାକ୍ଷିକ ସମ୍ପର୍କର ସମଗ୍ର ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି ଉଭୟ ଦେଶ ଗୁରୁତ୍ୱାରୋପ କରିଛନ୍ତି। ଏହାସହ ‘ଏଲଏସି’ରେ କୌଣସି ପ୍ରକାର ଭୁଲ୍ ବୁଝାମଣା ଏବଂ ସମସ୍ୟାକୁ ଏଡ଼ାଇବା ପାଇଁ ପୂର୍ବରୁ ରହିଥିବା କୂଟନୈତିକ ଓ ସାମରିକ ମାଧ୍ୟମଗୁଡ଼ିକର ନିରନ୍ତର ବ୍ୟବହାର କରିବାକୁ ସମ୍ମତି ପ୍ରକାଶ ପାଇଛି।ଏହା ବ୍ୟତୀତ, ବିଶେଷ ପ୍ରତିନିଧି ସ୍ତରୀୟ ଆଲୋଚନାର ନିଷ୍ପତ୍ତି ଆଧାରରେ ସୀମା ନିର୍ଦ୍ଧାରଣ ଓ ପରିଚାଳନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଭାରତ ପକ୍ଷରୁ ସୀମାପାର ନଦୀଗୁଡ଼ିକ ସମ୍ପର୍କିତ ବିଶେଷଜ୍ଞ ସ୍ତରୀୟ ବୈଠକ ଶୀଘ୍ର ଡାକିବା ଏବଂ ନଦୀର ଉପରମୁଣ୍ଡ ପ୍ରକଳ୍ପ ସମ୍ବନ୍ଧୀୟ ବୈଷୟିକ ତଥ୍ୟ ଆଦାନପ୍ରଦାନ କରିବା ଉପରେ ଗୁରୁତ୍ଵ ଦିଆଯାଇଛି। ଏହି ଆଲୋଚନାରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜିତ୍ ଘୋଷ ନେଇଥିବା ବେଳେ ଚୀନ୍ ପ୍ରତିନିଧି ଦଳର ନେତୃତ୍ୱ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ସୀମା ଓ ମହାସାଗରୀୟ ବ୍ୟାପାର ବିଭାଗର ମହାନିର୍ଦ୍ଦେଶକ ହାଓ ୟାନକି ନେଇଥିଲେ।










