ନୂଆଦିଲ୍ଲୀ: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ଇସ୍କନ୍ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ପୁଣି ତେଜିଛି ବିବାଦ । ଆମେରିକାର ବାର୍କେଲେ ସହରରେ ଅଗଷ୍ଟ ୯ ତାରିଖରେ ଇସ୍କନ୍ ପକ୍ଷରୁ ସ୍ନାନଯାତ୍ରା ଆୟୋଜନ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ବାର୍କେଲେରେ ମହାପ୍ରଭୁଙ୍କ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନେଇ ଏହି ଧାର୍ମିକ ଆୟୋଜନ କରାଯାଇଥିଲା । ଏହାକୁ ନେଇ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣିଛନ୍ତି ଜଗନ୍ନାଥପ୍ରେମୀ । ବିଦେଶରେ ଅଦିନିଆ ରଥଯାତ୍ରା କିମ୍ବା ସ୍ନାନଯାତ୍ରା ଆୟୋଜନ ନକରିବାକୁ ଗଜପତି ମହାରାଜାଙ୍କ ସମେତ ବିଭିନ୍ନ ମହଲରୁ ପୂର୍ବରୁ ଅନୁରୋଧ କରାଯାଇଥିବା ଦାବି କରାଯାଉଛି । ଏହାସତ୍ତ୍ୱେ ବାର୍କେଲେରେ ଅଗଷ୍ଟ ୯ରେ ଏଭଳି କାର୍ଯ୍ୟକ୍ରମ ଆୟୋଜନକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।
ଆମେରିକାରେ ରହୁଥିବା ୧୦୦ରୁ ଅଧିକ ଓଡ଼ିଆ ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ବନ୍ଦ କରିବାକୁ ଦାବି କରିଥିବା କୁହାଯାଉଛି । ହେଲେ ଏହାପରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ ହେବାରୁ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ କ୍ଷୋଭ ବଢ଼ିଛି । ଘଟଣାକୁ ନେଇ ଏବେ ଦେଶ ଓ ବିଦେଶରେ ରହୁଥିବା ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ତୀବ୍ର ହୋଇଛି । ଏହି ପ୍ରସଙ୍ଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ପ୍ରତିବାଦକାରୀମାନେ । ତେବେ ଏହି ଆୟୋଜନକୁ ନେଇ ଇସ୍କନ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିଛି କି ନାହିଁ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।










