ନୂଆଦିଲ୍ଲୀ: ତ୍ରିରଙ୍ଗା ଯାତ୍ରାରୁ ଫେରୁଥିବା ବଳେ ଘଟିଲା ବଡ ଦୁର୍ଘଟଣା । ଜମ୍ମୁର ସୁପର ସ୍ପେଶାଲିଟି ହସ୍ପିଟାଲ ନିକଟ ଏକ ଫ୍ଲାଏ ଓଭର ଉପରେ ମିନିବସ ଓଲଟି ପଡିବାରୁ ୨୮ ଜଣ ଯୁବତୀ ଆହତ ହୋଇଛନ୍ତି । ରବିବାର ରାତିରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ୧୮ରୁ ୨୫ ବର୍ଷ ବୟସର ଯୁବତୀମାନେ ବାହୁ ଫୋର୍ଟରେ ଆୟୋଜିତ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ସରିବା ପରେ ସେମାନେ ମିନିବସ ଯୋଗେ ମୁବାରକ ମଣ୍ଡି ଅଭିମୁଖେ ଫେରୁଥିଲେ । ଏହି ସମୟରେ ଫ୍ଲାଏଓଭର ଉପରେ ହଠାତ ମିନିବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟଣା ପରେ ଆହତମାନଙ୍କୁ ତୁରନ୍ତ ସରକାରୀ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା । ଆହତଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସ୍ଥିର ଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକାଂଶ ଯୁବତୀଙ୍କୁ ଖୁବଶୀଘ୍ର ଡିସଚାର୍ଜ କରାଯିବାର ସମ୍ଭାବନା ରହିଛି ।










