31.1 C
Bhubaneswar
Thursday, August 6, 2026
Homeଓଡିଶାଭାଲୁ ଆକ୍ରମଣରେ ଭାଇ ଭଉଣୀଙ୍କ ମୃତ୍ୟୁ

ଭାଲୁ ଆକ୍ରମଣରେ ଭାଇ ଭଉଣୀଙ୍କ ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲା ମାର୍କାଟୋଲା ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଛି । ଏକ ନରହନ୍ତା ମାଈ ଭାଲୁର ଆକ୍ରମଣରେ ଜଣେ ଯୁବକ ଓ ତାଙ୍କ ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଭଉଣୀ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ହେଲେ ହଲାଲଖୋର ଜୁରି ଏବଂ ତାଙ୍କ ଭଉଣୀ ଚାମାରୋନ୍ ବାଇ। ଗୁରୁତର ଆହତ ଖୋରୀନବାଈଙ୍କୁ ଚିକିତ୍ସା ପାଇଁ କାଙ୍କେର ମେଡିକାଲ କଲେଜରୁ ରାୟପୁରକୁ ସ୍ଥାନାନ୍ତର କରାଯାଇଛି । ଏହି ମାଈ ଭାଲୁଟି ଗତ ମଙ୍ଗଳବାର ସନ୍ଧ୍ୟାରୁ ଅତ୍ୟନ୍ତ ଆକ୍ରାମକ ହୋଇ ପଡ଼ିଥିଲା। ପ୍ରଥମେ ସେ ଜଙ୍ଗଲରେ ଏକ ଭାଲୁ ଛୁଆକୁ ଝୁଣି ମାରି ଦେଇଥିଲା, ଯାହାର ମୃତଦେହକୁ ବନ ବିଭାଗ ଜବତ କରିଥିଲା। ତେବେ ବୁଧବାର ସକାଳେ ଏହି ନରହନ୍ତା ଭାଲୁଟି ଜଙ୍ଗଲ ନିକଟସ୍ଥ ଚାଷ ଜମିରେ କାମ କରୁଥିବା ହଲାଲଖୋରଙ୍କ ଉପରେ ହଠାତ୍ ଝାମ୍ପି ପଡ଼ିଥିଲା। ଭାଇକୁ ବଞ୍ଚାଇବା ପାଇଁ ଭଉଣୀ ଚାମାରୋନ୍ ବାଇ ଧାଇଁ ଆସିଥିଲେ ମଧ୍ୟ ଭାଲୁଟି ତାଙ୍କୁ ଛାଡ଼ି ନଥିଲା। ରକ୍ତମୁଖା ଭାଲୁଟି ଉଭୟଙ୍କୁ ନିର୍ମମ ଭାବେ ଝୁଣି ପକାଇଥିବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କର ପ୍ରାଣହାନି ଘଟିଥିଲା।

ଭାଲୁଟି ଏତେ ଭୟଙ୍କର ଥିଲା ଯେ ମୃତଦେହ ଦୁଇଟିକୁ ନିଜ କବଜାରେ ରଖିଥିଲା, ଯାହାଫଳରେ ବନ ବିଭାଗ କିମ୍ବା ଗ୍ରାମବାସୀ କେହି ପାଖକୁ ଯାଇପାରି ନଥିଲେ। ପ୍ରାୟ ୪ ଘଣ୍ଟା କାଳ ଏଭଳି ଆତଙ୍କ ଚାଲିବା ପରେ ରାୟପୁରରୁ ଏକ ବିଶେଷଜ୍ଞ ଦଳ ପହଞ୍ଚି ଟ୍ରାଙ୍କୁଲାଇଜର ସାହାଯ୍ୟରେ ଭାଲୁକୁ ଅଚେତ କରିଥିଲେ। ଭାଲୁକୁ ନିୟନ୍ତ୍ରଣକୁ ଅଣାଯିବା ପରେ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଥିଲା। ତେବେ ପରିବାରର ଦୁଇଜଣ ସଦସ୍ୟଙ୍କୁ ହରାଇଥିବାରୁ ଉତ୍ତ୍ୟକ୍ତ ଗ୍ରାମବାସୀ ଅଚେତ ଭାଲୁକୁ ମଧ୍ୟ ବାଡ଼ିରେ ମାଡ଼ ମାରିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking