ନୂଆଦିଲ୍ଲୀ : ଶ୍ରୀଲଙ୍କା ଜଳସୀମାର ଡେଲଫ୍ଟ ଦ୍ୱୀପ ନିକଟରେ ୧୧ ଜଣ ମତ୍ସ୍ୟଜୀବୀ ଥିବା ଏକ ଭାରତୀୟ ମାଛଧରା ଟ୍ରଲର ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରଲରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଶ୍ରୀଲଙ୍କା ନୌସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଛି । ଟ୍ରଲର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ମଧ୍ୟ ମତ୍ସ୍ୟଜୀବୀମାନେ ସୁରକ୍ଷିତ ଅଛନ୍ତି । ନୌସେନା କହିଛି ଯେ, ଟ୍ରଲରଟି ଶ୍ରୀଲଙ୍କା ଜଳ ସୀମା ପାର କରି ଆସିଥିଲା ଓ ଦୁର୍ଘଟଣା ପୂର୍ବରୁ ବେଆଇନ ଭାବେ ମାଛଧରା କାର୍ଯ୍ୟରେ ନିୟୋଜିତ ଥିଲା ।
ସମୁଦ୍ର ଗର୍ଭରେ ଏକ ବଡ଼ ଜାଲ ଟାଣି ମାଛ ଧରିବା ସମୟରେ ଟ୍ରଲରଟି ଏକ ଅଗଭୀର ପଥୁରିଆ ଅଞ୍ଚଳରେ ଫସି ଯାଇଥିଲା । ଶ୍ରୀଲଙ୍କା ନୌସେନା କହିଛି ଯେ, ଏହି ଘଟଣା ବୁଧବାର ଘଟିଥିଲା ଓ ମତ୍ସ୍ୟଜୀବୀମାନେ ସୁରକ୍ଷିତ ଅଛନ୍ତି । ଟ୍ରଲରଟି ବିପଜ୍ଜନକ ସ୍ଥିତିରେ ନାହିଁ ଓ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାକୁ ଉଦ୍ଧାରକାରୀ ୟୁନିଟ୍କୁ ପଠାଯାଇଛି। ଏହାପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଶ୍ରୀଲଙ୍କାର ଉତ୍ତର ଉପକୂଳରେ ଥିବା ପାକ୍ ପ୍ରଣାଳୀରେ ଡେଲଫ୍ଟ ଦ୍ୱୀପ, ଯାହାକୁ ନେଦୁନ୍ଥୀଭୁ ମଧ୍ୟ କୁହାଯାଏ । ପାକ୍ ପ୍ରଣାଳୀ ତାମିଲନାଡ଼ୁ ଓ ଶ୍ରୀଲଙ୍କାକୁ ଅଲଗା କରିଥିବାବେଳେ ଏହି ସଂକୀର୍ଣ୍ଣ ଅଞ୍ଚଳରେ ପ୍ରବଳ ମାଛ ମିଳୁଥିବାରୁ ଉଭୟ ଦେଶର ମତ୍ସ୍ୟଜୀବୀ ଅନ୍ୟର ଜଳସୀମା ଅତିକ୍ରମ କରି ଅନେକ ସମୟରେ ଗିରଫ ହୋଇଥାନ୍ତି ।










