ଗୁଆହାଟୀ: ଆସାମରେ ପୁଣି ଥରେ ମୌସୁମୀ ବନ୍ୟା ତାଣ୍ଡବ ରଚିଛି। ରାଜ୍ୟରେ ବନ୍ୟା ଏବଂ ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା ୯୫ ରେ ପହଞ୍ଚିଛି। ସଦ୍ୟତମ ବନ୍ୟାରେ ୫୬୩ ଗାଁର ଲକ୍ଷେ ୬୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଶିବସାଗର ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ଶୀର୍ଷରେ ରହିଛି। ଅନେକ ଅଞ୍ଚଳରେ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି, ଏବଂ ବନ୍ଧ ଭାଙ୍ଗି ପରିସ୍ଥିତିକୁ ଆହୁରି ଖରାପ କରିଛି। ପ୍ରାୟ ୧୬,୯୫୧ ହେକ୍ଟର ଚାଷ ଜମି ବୁଡ଼ି ଯାଇଛି। ୩୫ ହଜାରରୁ ଅଧିକ ପ୍ରାଣୀ ପ୍ରଭାବିତ ହୋଇଛନ୍ତି।
ପ୍ରାୟ ୮,୫୦୦ ଭାସି ଯାଇଛନ୍ତି। ହଜାର ହଜାର ଲୋକ ୪୫ଟି ରିଲିଫ୍ ଶିବିରରେ ଆଶ୍ରୟ ନେଇଛନ୍ତି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହା ସହିତ ୫୯ଟି ବଣ୍ଟନ କେନ୍ଦ୍ର ମାଧ୍ୟମରେ ୩୨,୦୦୦ରୁ ଅଧିକ ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଉଛି। । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ଶିବସାଗରରେ ୫୭ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏହା ପଛକୁ ଗୋଲାଘାଟ ଏବଂ ଜୋରହାଟ ଅଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୬ ଜଣ ଲୋକ ପ୍ରାଣ ହରାଇଛନ୍ତି।ବନ୍ୟାର ପ୍ରଭାବ କେବଳ ଗ୍ରାମାଞ୍ଚଳରେ ସୀମିତ ନାହିଁ। ଗୁଆହାଟୀର ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି ସାଧାରଣ ଜୀବନଯାତ୍ରାକୁ ବ୍ୟାହତ କରିଛି।










