ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ହୋହଲ୍ଲା ମଧ୍ୟରେ କେନ୍ଦ୍ର ସରକାର ପୂରାପୂରି ଆକ୍ସନ ମୋଡକୁ ଆସିଯାଇଛି। ଏହି ଗମ୍ଭୀର ପ୍ରସଙ୍ଗରେ ଚର୍ଚ୍ଚା ଓ ସମାଧାନ ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ଗୁରୁତ୍ବପୂର୍ଣ୍ଣ ବୈଠକ ଚାଲିଛି।ସୂତ୍ର ଅନୁଯାୟୀ, ଏହି ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ମହାନିର୍ଦ୍ଦେଶକ ଅଭିଷେକ ସିଂହ ଓ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍ଓ)ର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି। ସୂତ୍ର ଅନୁଯାୟୀ ନିଟ୍-ୟୁଜି ପରୀକ୍ଷା ସହିତ ଜଡିତ ପେପର ଲିକ୍ ଓ ଅନ୍ୟାନ୍ୟ ଅଭିଯୋଗ ଉପରେ ଆଲୋଚନା କରିବା ପାଇଁ ଏହି ବୈଠକ ଡକାଯାଇଛି। ବୈଠକରେ ନିଟ୍ ପରୀକ୍ଷାରେ ସ୍ୱଚ୍ଛତା ବୃଦ୍ଧି କରିବା, ଛାତ୍ରଛାତ୍ରୀଙ୍କ ଚିନ୍ତା ଦୂର କରିବା ଓ ଭବିଷ୍ୟତର ରଣନୀତି ପ୍ରସ୍ତୁତ କରିବା ଉପରେ ଆଲୋଚନା କରାଯାଇଛି।
ବିବାଦର କେନ୍ଦ୍ରବିନ୍ଦୁ ଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ର ମହାନିର୍ଦ୍ଦେଶକ ଅଭିଷେକ ସିଂହଙ୍କୁ ଏହି ବୈଠକରେ ସ୍ୱତନ୍ତ୍ର ଭାବରେ ଡକାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି, ପରୀକ୍ଷା ପରିଚାଳନା ସହିତ ଜଡିତ ଅନିୟମିତତା ଓ ଅଭିଯୋଗ ଉପରେ ସିଧାସଳଖ ମତାମତ ନେଉଛନ୍ତି। ଏନ୍ଟିଏ ଓ ଶିକ୍ଷା ମନ୍ତ୍ରଣାଳୟ ବର୍ତ୍ତମାନ ନିଟ୍ ବିବାଦରେ ଫସିଛନ୍ତି। ଛାତ୍ରଛାତ୍ରୀଙ୍କ ବିରୋଧ ଓ ବିରୋଧୀଙ୍କ ସମାଲୋଚନା ମଧ୍ୟରେ, କେନ୍ଦ୍ର ସରକାର ଏହି ପ୍ରସଙ୍ଗକୁ ଉଚ୍ଚ ସ୍ତରରେ ସମୀକ୍ଷା କରୁଛନ୍ତି। ନିଟ୍-ୟୁଜି ପରୀକ୍ଷା ମେ ୩ ତାରିଖରେ ଅନୁଷ୍ଠିତ ହୋଇଥିଲା, ଯାହା ପରେ ପେପର ଲିକ୍ ଅଭିଯୋଗ ଯୋଗୁଁ ଏହାକୁ ବାତିଲ କରାଯାଇଥିଲା।










