ଢେଙ୍କାନାଳ: ମା’ ତାରିଣୀଙ୍କ ଦର୍ଶନ ଅଧୁରା ରହିଯାଇଛି। ଘଟଗାଁ ଅଭିମୁଖେ ବାହାରିଥିବା କାର ଅଧବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣଙ୍କୁ ଗୁରୁରତ ଭାବେ ଉଦ୍ଧାର କରାଯାଇଛି।ସୂଚନା ଅନୁସାରେ ଢେଙ୍କାନାଳ ଟାଉନର ୪ଜଣ ଯୁବକ ଆଜି ପୂର୍ବାହ୍ଣରେ କେନ୍ଦୁଝର ଜିଲ୍ଲା ଘଟଗାଁସ୍ଥିତ ମା’ ତାରିଣୀଙ୍କ ଦର୍ଶନ ପାଇଁ ବାହାରିଥିଲେ। ସେମାନେ ଏକ କାର ଯୋଗେ ଆଗକୁ ଅଗ୍ରସର ହେଉଥିଲେ। ତେବେ କାରର ଚାଳକ ଦୈତାରୀ ଥାନା ଅଧିନ ରାସୋଳ ଗ୍ରାମପଞ୍ଚାୟତ ଅଧୀନ କୁଶେଇ ନଦୀ ପୋଲରେ ଭାରସାମ୍ୟ ହରାଇଥିଲା। ଚାଳକ ଗାଡ଼ିକୁ ନିୟନ୍ତ୍ରଣ କରିପାରି ନଥିଲେ। ଫଳରେ ଏହା ଯାଇ ସିଧାସଳଖ ନଦୀରେ ଖସି ପଡ଼ିଥିଲା।
ରାସ୍ତାରେ ଯାଉଥିବା ଲୋକେ ଦୁର୍ଘଟଣାଗ୍ରସ୍ତ କାର ଦେଖି ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କର ସହାୟତାରେ ୪ଜଣ ଲୋକଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ୨ଜଣଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ଅନ୍ୟ ୨ ଜଣ ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।










