ଗଞ୍ଜାମ : ଜଣେ ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟକଳାପ ପାଇଁ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଲଜ୍ୟାଜନକ ସ୍ଥିତି ସୃଷ୍ଟି ହୋଇଛି । ୧୪ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ସ୍ଥାନୀୟ ପୁଲିସ ଜଣେ ଆୟୁଷ ଡାକ୍ତରଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅଭିଯୁକ୍ତ ଡାକ୍ତରଙ୍କ ନାମ ସମୀର ପ୍ରଧାନ ବୋଲି ଜଣାପଡ଼ିଛି ।ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ନାବାଳିକା ଜଣକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମା’ଙ୍କ ସହ ଡାକ୍ତର ସମୀର ପ୍ରଧାନଙ୍କ ଘରୋଇ କ୍ଲିନିକକୁ ଯାଇଥିଲେ । ସେଠାରେ ସ୍ତ୍ରୀ ରୋଗ ପରୀକ୍ଷା ବା ଗାଇନିକ ଟେଷ୍ଟ କରିବା ବାହାନାରେ ଡାକ୍ତର ନାବାଳିକାଙ୍କୁ ଏକ ଅଲଗା କୋଠରୀକୁ ନେଇଯାଇଥିଲେ । ଅଭିଯୋଗ ଅନୁଯାୟୀ, ସେହି ନିଛାଟିଆ କୋଠରୀରେ ଡାକ୍ତର ସମୀର ପ୍ରଧାନ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ । କେବଳ ସେତିକି ନୁହେଁ, ଯଦି ଏହି ବିଷୟରେ ସେ କାହାରିକୁ କିଛି କୁହନ୍ତି, ତେବେ ତାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଡାକ୍ତର ଧମକ ଦେଇଥିଲେ । ପ୍ରାୟ ଅଧଘଣ୍ଟା ପରେ ନାବାଳିକା ଜଣକ କାନ୍ଦି କାନ୍ଦି କୋଠରୀ ବାହାରକୁ ଆସିବାରୁ ତାଙ୍କ ମା’ ସନ୍ଦେହ କରି ସବୁ କଥା ପଚାରିଥିଲେ । ଝିଅଠାରୁ ଏହି କାଣ୍ଡ ବିଷୟରେ ଶୁଣିବା ପରେ ପରିବାର ଲୋକେ ତୁରନ୍ତ ଜଗନ୍ନାଥପ୍ରସାଦ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏହି ଅଭିଯୋଗକୁ ଭିତ୍ତି କରି ସମ୍ପୃକ୍ତ ଆୟୁଷ ଡାକ୍ତରଙ୍କୁ ଥାନାକୁ ଆଣି ଅଟକ ରଖିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଥିବା ବେଳେ ପୋଲିସ ମାମଲାର ଅଧିକ ତଦନ୍ତ ଜାରି ରଖିଛି ।










