ଝାରସୁଗୁଡ଼ା: ପ୍ରାୟ ତିନି ଦଶନ୍ଧି ଧରି ପୁଲିସକୁ ଚକମା ଦେଇ ଶେଷରେ ଧରାପଡ଼ିଲା ହତ୍ୟା ମାମଲାର ଫେରାର ଅଭିଯୁକ୍ତ । ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଭୃନ୍ଦୁପାଲି ଗାଁର ନୀଳମଣି ମହାନନ୍ଦଙ୍କୁ ୨୮ ବର୍ଷ ପରେ ଗିରଫ କରିଛି ପୁଲିସ । ୧୯୯୮ ମସିହା ଅକ୍ଟୋବର ୯ ତାରିଖରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ଯ୍ୟୋଧନ ଦୀପଙ୍କୁ ହତ୍ୟା କରାଯାଇଥିଲା । ନୀଳମଣି ଏବଂ ତାଙ୍କର ଦୁଇ ସହଯୋଗୀ ହତ୍ୟା ପରେ ମୃତଦେହକୁ ଅଖାରେ ଭରି କେଲୋ ନଦୀରେ ଫିଙ୍ଗି ଦେଇଥିବା ଅଭିଯୋଗ ରହିଛି ।
ଘଟଣା ପରେ ପୁଲିସ ନୀଳମଣିଙ୍କୁ ଗିରଫ କରିଥିଲେ ମଧ୍ୟ ସେ ଥାନାରୁ ଚକମା ଦେଇ ଫେରାର ହୋଇଯାଇଥିଲା । ପରେ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଲୁଚି ରହି ଶେଷରେ ଛତିଶଗଡ଼ର ରାୟଗଡ଼ରେ ‘ରାଜୁ ଗଣ୍ଡା’ ନାମରେ ନକଲି ଆଧାର ଓ ପ୍ୟାନ୍ କାର୍ଡ କରି ବସବାସ କରୁଥିଲା । ଗୁପ୍ତ ସୂଚନା ଆଧାରରେ ରେଙ୍ଗାଲି ପୁଲିସ ଚଢ଼ାଉ କରି ତାକୁ ଗିରଫ କରିଛି ।ଏହି ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ଜାମିନରେ ଆସିବା ପରେ ସେମାନଙ୍କର ମୃତ୍ୟୁ ହୋଇସାରିଛି । ଗିରଫ ନୀଳମଣିଙ୍କୁ କୋର୍ଟଚାଲାଣ କରାଯାଇଛି ।










