ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରର ପରିଚାଳନାକୁ ନେଇ ତତ୍ପର ରହିଛି ଜଳ ସମ୍ପଦ ବିଭାଗ । ବର୍ତ୍ତମାନ ଜଳଭଣ୍ଡାର ପ୍ରାୟ ୪୭ ପ୍ରତିଶତ ପର୍ଯ୍ୟନ୍ତ ପୂର୍ଣ୍ଣ ହୋଇଥିବାବେଳେ, ଆଜି ସକାଳେ ୪ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ ଆରମ୍ଭ କରାଯାଇଛି । ଏବେ ହୀରାକୁଦରୁ ପ୍ରାୟ ୯୪ ହଜାର କ୍ୟୁସେକ୍ ପାଣି ନିଷ୍କାସନ ହେଉଛି । ସନ୍ଧ୍ୟାରେ ଆଉ ୬ଟି ଗେଟ୍ ଖୋଲାଯିବା ପରେ ମୋଟ ୧ ଲକ୍ଷ ୮୦ ହଜାର କ୍ୟୁସେକ୍ ଜଳ ଛଡ଼ାଯିବ । ଏହି ପାଣି ୩୬ରୁ ୪୮ ଘଣ୍ଟା ମଧ୍ୟରେ ମୁଣ୍ଡଳୀରେ ପହଞ୍ଚିବ ବୋଲି ବିଭାଗ ଆକଳନ କରିଛି । ବନ୍ୟା ପରିଚାଳନାକୁ ନେଇ ଗତକାଲି କେନ୍ଦ୍ରୀୟ ଜଳ ଆୟୋଗ (CWC) ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ ଅଧିକାରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଛତିଶଗଡ଼ର ୮ଟି ଷ୍ଟେସନରେ ଓଡ଼ିଶାର ୨୧ ଜଣ ଜଳ ସମ୍ପଦ ଅଧିକାରୀ ନିୟୋଜିତ ହୋଇ ସ୍ଥିତି ଉପରେ ନଜର ରଖିଛନ୍ତି । କଲମା ବ୍ୟାରେଜର ଗେଟ୍ ମଧ୍ୟ ଖୋଲାଯାଇଛି ।
ତେବେ ବର୍ତ୍ତମାନ ସୁଦ୍ଧା କୌଣସି ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇନାହିଁ । ଜଳସ୍ତର ନିୟନ୍ତ୍ରଣରେ ରହିଥିବା ସହ ଛତିଶଗଡ଼ ପକ୍ଷରୁ ମଧ୍ୟ ପୂର୍ଣ୍ଣ ସହଯୋଗ ମିଳୁଥିବା ଜଣାପଡ଼ିଛି । ଭାରତୀୟ ପାଣିପାଗ ବିଭାଗ (IMD) ଜୁଲାଇ ୧୩ ପରେ ପରବର୍ତ୍ତୀ ପାଣିପାଗ ଆକଳନ ଜାରି କରିବ । ସେହି ସମୟ ମଧ୍ୟରେ ହୀରାକୁଦର ଜଳଭଣ୍ଡାରକୁ ସୁଚାରୁ ଭାବେ ପରିଚାଳନା କରାଯିବ, ଯାହା ଫଳରେ ଆଗାମୀ ଲଘୁଚାପ ସମୟରେ ଅଧିକ ବର୍ଷା ହେଲେ ଜଳ ସଂରକ୍ଷଣ କରିବା ସହଜ ହେବ । ଜଳ ସମ୍ପଦ ବିଭାଗ ସ୍ପଷ୍ଟ କରିଛି ଯେ, ବର୍ତ୍ତମାନ ରାଜ୍ୟର କୌଣସି ସ୍ଥାନରେ ବନ୍ୟା ପରିସ୍ଥିତି ନାହିଁ । ମହାନଦୀ ବ୍ୟତୀତ ଅନ୍ୟ କୌଣସି ନଦୀରେ ବିପଦଜନକ ଭାବେ ଜଳସ୍ତର ବଢ଼ିବାର ଆଶଙ୍କା ନାହିଁ । ସେପଟେ ଝାଡ଼ଖଣ୍ଡର ଚାନ୍ଦିଲ ଡ୍ୟାମ ମଧ୍ୟ ବର୍ତ୍ତମାନ ବନ୍ୟା ପରିସ୍ଥିତି ନଥିବାବେଳେ, ଏହାର ସୁଚାରୁ ପରିଚାଳନାକୁ ନେଇ ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ଆଲୋଚନା ଜାରି ରହିଛି ।










