ନୂଆଦିଲ୍ଲୀ : ଦେଶରେ ତୈଳ ଦର ବୃଦ୍ଧି ପାଇବା ପରେ ଗାଡ଼ିଭଡ଼ା ସଂଶୋଧନ କରିବା ଦାବିରେ ଦିଲ୍ଲୀ ଓ ଏନ୍ସିଆର୍ରେ ଚାଳକ ଶକ୍ତି ୟୁନିଅନ ସମେତ ବାଣିଜ୍ୟିକ ଯାନବାହନ ୟୁନିଅନଗୁଡ଼ିକ ତିନି ଦିନିଆ ଧର୍ମଘଟ ଡାକରା ଦେଇଛନ୍ତି। ମେ ୨୧ ରୁ ୨୩ ତାରିଖ ପର୍ୟ୍ୟନ୍ତ ଦିଲ୍ଲୀ ଓ ଏନ୍ସିଆର୍ରେ କ୍ୟାବ୍ ଓ ଅଟୋ ସଂଘମାନେ ଧର୍ମଘଟ କରିଥିବା ଯୋଗୁଁ ସାଧାରଣ ଲୋକଙ୍କ ଯାତୟାତ ପ୍ରଭାବିତ ହୋଇଛି। ୬୮ରୁ ଅଧିକ ସଂଘ ଆନ୍ଦୋଳନକୁ ସମର୍ଥନ କରି ଚକ୍କାଜାମ୍ରେ ସାମିଲ ହୋଇଛନ୍ତି। ବାଣିଜ୍ୟିକ ଯାନବାହନ ୟୁନିଅନ ଆନ୍ଦୋଳନ ବିଷୟରେ ଜଣାଇ ଦିଲ୍ଲୀ ଉପରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ ଓ ପୁଲିସ କମିଶନରଙ୍କୁ ଚିଠି ଲେଖିଥିଲେ। ଚିଠିରେ ୟୁନିଅନ କହିଛି ଯେ, ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ଦ୍ୱାରା ଘୋଷିତ ଦେଶବ୍ୟାପୀ ଆନ୍ଦୋଳନ ସହିତ ଏକତା ପ୍ରକାଶ କରି ଧର୍ମଘଟ ଆୟୋଜନ କରାଯାଉଛି। ସିଏନ୍ଜି, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସତ୍ତ୍ବେ ଦିଲ୍ଲୀ ଓ ଏନ୍ସିଆର୍ରେ ଗତ ୧୫ ବର୍ଷ ହେଲା ଟ୍ୟାକ୍ସି ଓ ବାଣିଜ୍ୟିକ ଯାନବାହନ ଦର ବୃଦ୍ଧି ହୋଇନାହିଁ ବୋଲି କୁହାଯାଇଛି।ଚିଠିରେ ଲେଖାଯାଇଛି ଯେ, ବାରମ୍ବାର ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁଁ ଡ୍ରାଇଭରମାନଙ୍କ ପାଇଁ ପରିଚାଳନା ଖର୍ଚ୍ଚ ସହିତ ରୋଜଗାର ବଜାୟ ରଖିବା କଷ୍ଟକର ହୋଇପଡ଼ିଛି।










