ଭୁବନେଶ୍ୱର: ଦେଶରେ ପେଟ୍ରୋଲ, ଡିଜେଲ୍ ଓ ସିଏନ୍ଜି ପରେ ଖୁବ୍ଶୀଘ୍ର ବିଜୁଳି ଦର ବଢ଼ିବାକୁ ଯାଉଛି । କେନ୍ଦ୍ରୀୟ ବିଦ୍ୟୁତ୍ କର୍ତ୍ତୃପକ୍ଷ ବା ସିଇଏ ପକ୍ଷରୁ ଧାର୍ୟ୍ୟ ଥିବା ମାସିକ ବିଦ୍ୟୁତ୍ ଶୁଳ୍କ ବଢ଼ାଇବାକୁ ପ୍ରସ୍ତାବ ଦିଆଯାଇଛି । ଏହା କାର୍ୟ୍ୟକାରୀ ହେଲେ ଅଳ୍ପ ବିଜୁଳି ବ୍ୟବହାର କରୁଥିବା ପରିବାରଗୁଡ଼ିକର ମଧ୍ୟ ବିଦ୍ୟୁତ୍ ବିଲ୍ ବଢ଼ିଯିବ । ବିଦ୍ୟୁତ୍ ବଣ୍ଟନ କମ୍ପାନି ସହୁଥିବା ବିପୁଳ କ୍ଷତି କମ୍ କରିବା ଲକ୍ଷ୍ୟ ନେଇ ସିଇଏ ଏହି ପ୍ରସ୍ତାବ ଦେଇଛି । ଦେଶରେ ଛାତ ଉପରେ ସୌର ପ୍ରକଳ୍ପର ଗ୍ରହଣୀୟତା ବଢ଼ୁଥିବା ବେଳେ ଶିଳ୍ପ ସଂସ୍ଥାଗୁଡ଼ିକ ନିଜସ୍ବ ପାୱାର ପ୍ଲାଣ୍ଟ ଜରିଆରେ ବିଜୁଳି ଆବଶ୍ୟକତା ପୂରଣ କରୁଛନ୍ତି ।
ଏଭଳି ପରିସ୍ଥିତିରେ ବିଦ୍ୟୁତ ବିତରଣ କମ୍ପାନି ଗୁଡ଼ିକର କ୍ଷତି ବଢ଼ିଛି। ସେହି କ୍ଷତି ଭରଣା କରିବାକୁ ମାସିକ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରିବା ଯୋଜନା ରହିଛି । ଫଳରେ ଲୋକମାନେ ମାସକୁ ଯେତିକି ବିଜୁଳି ବ୍ୟବହାର କରନ୍ତୁ ନା କାହିଁକି, ସେମାନଙ୍କୁ ଅଧିକ ଶୁଳ୍କ ଗଣିବାକୁ ପଡ଼ିବ । ସିଇଏ ପକ୍ଷରୁ କୁହାଯାଇଛି ଯେ ଡିସ୍କମ୍ଗୁଡ଼ିକ ସେମାନଙ୍କ ବ୍ୟୟକୁ ବିଦ୍ୟୁତ୍ର ୟୁନିଟ୍ ପିଛା ଦର ଜରିଆରେ ଭରଣା କରୁଛନ୍ତି । ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ମାସିକ ଦେୟର କୌଣସି ବ୍ୟବସ୍ଥା ନାହିଁ । ଫଳରେ ବିଦ୍ୟୁତ୍ ଉପଯୋଗ ହ୍ରାସ ପାଇଲେ ସେମାନଙ୍କ ରାଜସ୍ବ କମିଯାଉଛି । ରାଜସ୍ବକୁ ନେଇ ସେମାନେ ନିର୍ଦ୍ଦିଷ୍ଟ ଆକଳନ କରିପାରୁନାହାନ୍ତି ।










