ଅନୁଗୋଳ: ହାତୀ ଆକ୍ରମଣରେ ଅନୁଗୋଳ ବନଖଣ୍ଡ ଅଞ୍ଚଳରେ ବୁଧବାର ପୃଥକ ପୃଥକ ଭାବେ ୨ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଥମ ଘଟଣାରେ ଆମ୍ବ ଗୋଟାଇବାକୁ ହାତୀ ଆକ୍ରମଣରେ ଜଣେ ମୃତ। ମୃତକ ଜଣଙ୍କ ହେଲେ ବନ୍ତଳା ଥାନା ଅନ୍ତର୍ଗତ ମଧୁପୁର ଗ୍ରାମର ଧୂଳିଆ ଦେହୁରୀ(୬୦)। ସୂଚନା ଅନୂଯାୟୀ ବୁଧବାର ସକାଳେ ଧୂଳିଆ ବାଘୁଆପାଟ ଗ୍ରାମ ନିକଟରେ ଥିବା ଆମ୍ବ ତୋଟାକୁ ଆମ୍ବ ଗୋଟାଇବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା। ଯାହା ଫଳରେ ଘଟଣାସ୍ଥଳରେ ହିଁ ଧୂଳିଆଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମବାସୀମାନେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବନ ବିଭାଗ ଏବଂ ପୁଲିସ ପହଁଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲା।
ହାତୀ ଆକ୍ରମଣରେ ଆଉ ଜଣଙ୍କ ମୃତ୍ୟୁ ହେବା ପରେ ଉତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ। ଅନୁଗୋଳ ବନାଞ୍ଚଳ ପୁରୁଣାଗଡ ସେକସନ ବନ୍ତଳା ଥାନା ଅନ୍ତର୍ଗତ ଚନ୍ଦନପୁର ଗ୍ରାମର ହାତୀ ଆକ୍ରମଣରେ ଧୃବ ଚରଣ ପ୍ରଧାନଙ୍କ ପୁଅ ଭୋଳୁଶ୍ୱର ପ୍ରଧାନଙ୍କ ମୃତ୍ୟୁ ହୋଇଛି। ଭୋଳୁଶ୍ୱର ନିକଟରେ ଥିବା ଏକ ଆମ୍ବ ବଗିଚାକୁ ଆମ୍ବ ଗୋଟାଇବା ପାଇଁ ଯାଇଥିଲେ। ସେହି ସମୟରେ ଏକ ଦନ୍ତାହାତୀ ତାଙ୍କୁ ଆକ୍ରମଣ କରିଥିଲା। ଯାହା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।










