30.1 C
Bhubaneswar
Wednesday, May 20, 2026
Homeଓଡିଶା୭ ବିଭାଗର ୧୦ ପ୍ରସ୍ତାବରେ କ୍ୟାବିନେଟ୍ ମୋହର

୭ ବିଭାଗର ୧୦ ପ୍ରସ୍ତାବରେ କ୍ୟାବିନେଟ୍ ମୋହର

– ହାଇସ୍ପିଡ୍ ଡିଜେଲ ପୁଣି ହେଲା ଅତ୍ୟାବଶ୍ୟକୀୟ ସାମଗ୍ରୀ
– ଓଡ଼ିଶା ହାଇସ୍ପିଡ୍ ଡିଜେଲ ଡିଲର୍ସ ଲାଇସେନ୍ସ ଆଦେଶ ୧୯୭୯ ରଦ୍ଦ
– ନୂତନ ଅଧିସୂଚନା: ଓଡ଼ିଶା ହାଇସ୍ପିଡ ଡିଜେଲ ଡିଲର୍ସ ଲାଇସେନ୍ସ ରିପିଲ୍ ୨୦୨୬

ଭୁବନେଶ୍ୱର: ରାଜ୍ୟରେ ପୂର୍ବଭଳି ହାଇସ୍ପିଡ୍ ଡିଜେଲର ବିକ୍ରୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧିନିୟମର ନିୟମାବଳୀ ଦ୍ୱାରା ପରିଚାଳିତ ହେବ। ସେଥିପାଇଁ ‘ଓଡ଼ିଶା ହାଇସ୍ପିଡ୍ ଡିଜେଲ ଡିଲର୍ସ ଲାଇସେନ୍ସ ଆଦେଶ, ୧୯୭୯’କୁ ରଦ୍ଦ କରି ‘ଓଡ଼ିଶା ହାଇସ୍ପିଡ ଡିଜେଲ ଡିଲର୍ସ ଲାଇସେନ୍ସ ରିପିଲ୍‌- ୨୦୨୬’ ନାମକ ଏକ ନୂତନ ଅଧିସୂଚନା ଅଣାଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ଆସିଥିବା ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି।

ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମନ୍ତ୍ରୀ ପରିଷଦର ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ ୭ ବିଭାଗର ୧୦ ପ୍ରସ୍ତାବରେ ମୋହର ଲାଗିଛି। ଏଥିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ଗୋଟିଏ କରି ପ୍ରସ୍ତାବ ଥିବାବେଳେ ଶକ୍ତି ବିଭାଗର ୨ଟି, ଅ।।ଇନ ବିଭାଗର ୩ ପ୍ରସ୍ତାବ ଅନ୍ତର୍ଭୁକ୍ତ। ଗୋଟିଏ ପ୍ରସ୍ତାବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ସମ୍ପର୍କିତ ରହିଛି।

ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ହାଇସ୍ପିଡ୍ ଡିଜେଲ୍‌ର ବିକ୍ରୟ ଓ ବିତରଣକୁ ନିୟନ୍ତ୍ରଣ କରିବା ନିମନ୍ତେ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ୧୯୫୫ ଅନୁଯାୟୀ, ରାଜ୍ୟ ସରକାର ପୂର୍ବରୁ, ‘ଓଡ଼ିଶା ହାଇସ୍ପିଡ୍ ଡିଜେଲ୍ ଡିଲର୍ସ ଲାଇସେନ୍ସ ଆଦେଶ, ୧୯୭୯’ ଲାଗୁ କରିଥିଲେ। ଇତିମଧ୍ୟରେ ବ୍ୟବସାୟିକ କାରବାରକୁ ସହଜ କରିବା ଓ ଏହାର କାର୍ଯ୍ୟପ୍ରଣାଳୀର ବିଳମ୍ୱତାକୁ ହ୍ରାସ କରିବା ଉଦ୍ଦେଶ୍ୟରେ, କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ, ଖୁଚୁରା ବିକ୍ରୟ ପାଇଁ ଥିବା ଲାଇସେନ୍ସ ବ୍ୟବସ୍ଥାକୁ ରଦ୍ଦ କରିବାକୁ ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛନ୍ତି। ଏହି ପରାମର୍ଶକୁ ଅନୁସରଣ କରି ରାଜ୍ୟ କ୍ୟାବିନେଟ୍ ‘ଓଡ଼ିଶା ହାଇସ୍ପିଡ୍ ଡିଜେଲ୍ ଡିଲର୍ସ ଲାଇସେନ୍ସ ଆଦେଶ, ୧୯୭୯’କୁ ରଦ୍ଦ କରିବା ପାଇଁ ‘ଓଡ଼ିଶା ହାଇସ୍ପିଡ୍ ଡିଜେଲ ଡିଲର୍ସ ଲାଇସେନ୍ସ ରିପିଲ୍‌- ୨୦୨୬’ ନାମକ ଏକ ନୂତନ ଅଧିସୂଚନାକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହାଦ୍ୱାରା, ବ୍ୟବସାୟିକ କାରବାରକୁ ପ୍ରୋତ୍ସାହନ ମିଳିବା ସହ ଏହାର କାର୍ଯ୍ୟ ପ୍ରଣାଳୀରେ ସହଜତା ଓ ସରଳୀକରଣ ଉପଲବ୍ଧି ହେବ।

ଶ୍ରୀମତୀ ଗର୍ଗ ଆହୁରି କହିଛନ୍ତି ଯେ, ରିଟେଲ ଆଉଟଲେଟ୍ ସ୍ଥାପନ କରିବା ନିମନ୍ତେ ଜିଲ୍ଲାପାଳ ତଥା ଜିଲ୍ଲା ମ୍ୟାଜିଷ୍ଟ୍ରେଟଙ୍କ ଠାରୁ ଆବଶ୍ୟକୀୟ ଅପତ୍ତିବିହୀନ ପ୍ରମାଣପତ୍ର ବା ଏନ୍‌ଓସି ଗ୍ରହଣ କରିଥାନ୍ତି। ଜିଲ୍ଲାପାଳମାନେ ଅଗ୍ନିଶମ, ପୂର୍ତ୍ତ, ରାଜସ୍ୱବିଭାଗ ଓ ପେଟ୍ରୋଲିୟମ ଏବଂ ବିସ୍ଫୋରକ ସୁରକ୍ଷା ସଂଗଠନ(ପେସୋ)ର ଅନୁମୋଦନ ଆଧାରରେ ଏହି ଏନ୍‌ଓସି ପ୍ରଦାନ କରିଥାନ୍ତି। ଉପରୋକ୍ତ ସିଦ୍ଧାନ୍ତ ଅନୁଯାୟୀ, ରିଟେଲ ଆଉଟଲେଟ୍‌ଗୁଡ଼ିକୁ ପୁନର୍ବାର ଏହି ସମସ୍ତ ଅନୁମୋଦନ ଗ୍ରହଣ କରିବାର ଆବଶ୍ୟକତା ରହିବନାହିଁ। ଅତଏବ, ହାଇସ୍ପିଡ୍ ଡିଜେଲର ବିକ୍ରୟ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧିନିୟମର ନିୟମାବଳୀ ଦ୍ୱାରା ପୂର୍ବଭଳି ପରିଚାଳିତ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking