30.1 C
Bhubaneswar
Wednesday, May 20, 2026
Homeଓଡିଶାଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବାରେ ଯୋଗାଣ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ :ମନ୍ତ୍ରୀ

ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବାରେ ଯୋଗାଣ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ :ମନ୍ତ୍ରୀ

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ରାଜ୍ୟ ଯୋଗାଣ ନିଗମ ମିଳିତ ଆନୁକୂଲ୍ୟରେ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଆଜି ଲୋକସେବା ଭବନ କାନଭେନ ସେଣ୍ଟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗାଣ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତାର ପ୍ରଶଂସା କରିଥିଲେ । ନିକଟରେ ରନ୍ଧନ ଗ୍ୟାସର କଳାବାଜରୀ ରୋକିବାରେ ସେମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ବିଭିନ୍ନ ସ୍ଥାନରେ ଚଢ଼ଉ କରି ସେମାନେ ପ୍ରାୟ ୮ ହଜାର ଗ୍ୟାସ ସିଲିଣ୍ଡର ଜବତ କରିଥିଲେ । ସେହିଭଳି ପେଟ୍ରୋଲ-ଡିଜେଲ କଳାବଜାରୀ କରିଥିବା ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଖାଲି ସେତିକି ନୁହେଁ ଚାଷୀମାନଙ୍କଠାରୁ ଠିକଣା ସମୟରେ ସେମାନଙ୍କଠାରୁ ଧାନ ସଂଗ୍ରହ, ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଜାରି ରଖିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବାରେ ଯୋଗାଣ ଅଧିକାରୀଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସେ କହିଥିଲେ । ସେହିଭଳି ଖାଉଟିମାନଙ୍କ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ଖାଉଟି ଫୋରମ୍‌କୁ କାର୍ଯ୍ୟକ୍ଷମ କରାଯାଇଛି । ପ୍ରତି ବ୍ଲକ୍‌ ଓ ଜିଲ୍ଲା ସ୍ତରରେ ଏହାକୁ ତ୍ୱରାନ୍ୱିତ କରାଯାଇପାରିଲେ ସାଧାରଣ ନାଗରିକ ବିଶେଷ ଭାବେ ଉପକୃତ ହୋଇପାରିବେ । ସେହିଭଳି ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାକୁ ସଫଳ ରୂପାୟନ ଦିଗରେ ସେ ସମସ୍ତଙ୍କୁ ସହଯୋଗ ଲୋଡ଼ିଥିଲେ ।

ସେହିଭଳି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ନିଜ ଉଦ୍‌ବୋଧନରେ ସାଧାରଣ ଲୋକଙ୍କୁ ତ୍ୱରିତ ସେବା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ ଦ୍ୱାରା ଲୋକମାନଙ୍କ ନିକଟରେ ସରକାରଙ୍କ ଆଭିମୁଖ୍ୟ ପହଞ୍ଚିପାରିବ ବୋଲି ସେ ମତ ଦେଇଥିଲେ । ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ହିତାଧିକାରୀମାନଙ୍କ ଇ-କେୱାସି ୯୬ ପ୍ରତିଶତ ଶେଷ ହୋଇଛି । ଏହାକୁ ଶତପ୍ରତିଶତ କରିବା ପାଇଁ ସମସ୍ତଙ୍କର ପ୍ରଚେଷ୍ଟା ଜାରି ରଖିବାକୁ ସେ କହିଥିଲେ । ସେହିଭଳି ୧୪୪ଟି ସୁଲଭ ମୂଲ୍ୟ ଦୋକାନରେ ଶତପ୍ରତିଶତ ଇ-କେୱାସି ଯାଞ୍ଚ ଶେଷ ହୋଇଛି ଓ ବାକିଥିବା ଅନ୍ୟ ସୁଲଭ ମୂଲ୍ୟ ଦୋକାନରେ ଏହି ପ୍ରକ୍ରିୟା ଶତପ୍ରତିଶତ ଛୁଇଁବ ବୋଲି ସେ ଆଶା ପ୍ରକାଶ କରିଥିଲେ । ସେହିଭଳି ଗତ ଖରିଫ ଋତୁରେ ପ୍ରାୟ ୧୯ ଲକ୍ଷ ଚାଷୀମାନଙ୍କଠାରୁ ୭୮ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇ ସର୍ବନିମ୍ନ ସହାୟକ ମୂଲ୍ୟ ଓ ଇନ୍‌ପୁଟ ସହାୟତା ବାବଦକୁ ପ୍ରାୟ ୨୪ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ବିଭିନ୍ନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ବଜାରରେ ଉପଲବ୍ଧ କରାଇବାରେ ଯୋଗାଣ ଅଧିକାରୀମାନଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ । ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବିଭିନ୍ନ ପ୍ରସଙ୍ଗ ଉପରେ ସମ୍ମିଳନୀରେ ଆଲୋଚନା କରିଥିବା ବେଳେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ସୁଦାମ ଚରଣ ମଣ୍ଡଳ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପୁରନ୍ଦର ଧରୁଆ, ଶ୍ରୀ ଶ୍ରୀଧର ନାୟକ, ଯୋଗାଣ ନିଗମ ସାଧାରଣ ପରିଚାଳକ ଶ୍ରୀ ପ୍ରଭାତ ମହାପାତ୍ର, ଶ୍ରୀମତୀ ଏଲୋରା ସାମଲ, ଶ୍ରୀମତୀ ପ୍ରଣତି ପ୍ରିୟଦର୍ଶିନୀ ରାଉତ ପ୍ରମୁଖ ନିଜ ନିଜର ମନ୍ତବ୍ୟ ରଖିଥିଲେ ।

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ ଓ ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ସମ୍ମିଳନୀରେ ଧାନକିଣା, ଇ-କେୱାସି ଓ ମଣ୍ଡି ପରିଚାଳନାରେ ପ୍ରଯୁକ୍ତି ବିଦ୍ୟା ଉପଯୋଗ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଜିଲ୍ଲାଗୁଡ଼ିକୁ ମନ୍ତ୍ରୀ ଶ୍ରୀ ପାତ୍ର ସମ୍ବର୍ଦ୍ଧିତ କରିଥିଲେ । ଧାନସଂଗ୍ରହ କ୍ଷେତ୍ରରେ ବରଗଡ଼, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲାକୁ ସମ୍ବର୍ଦ୍ଧିତ କରିଥିବାବେଳେ ଇ-କେୱାସି କରିବାରେ ସଫଳତା ହାସଲ କରିଥିବା ଜିଲ୍ଲା ଭାବେ ସୁନ୍ଦରଗଡ଼, ଦେବଗଡ଼, ମୟୂରଭଞ୍ଜ ଜିଲ୍ଲା, ଜିପିଏସ୍‌ ଆଧାରିତ ଗାଡ଼ି-ଟ୍ରାକିଂ ପାଇଁ ଝାରସୁଗୁଡ଼ା, ଭଦ୍ରକ, ସୁନ୍ଦରଗଡ଼ ଏବଂ ମଣ୍ଡି ପରିଚାଳନା ଆପ୍‌ ବ୍ୟବହାର ଦିଗରେ ଉତ୍କର୍ଷ ଲାଭ କରିଥିବା ସୁବର୍ଣ୍ଣପୁର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାକୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ସମ୍ମିଳନୀରେ ଧାନସଂଗ୍ରହ ଗୁଣବତ୍ତା, ଆକାଉଣ୍ଟସ୍‌, ସାଧାରଣ ବଣ୍ଟନ, ସାଧାରଣ ପରିଚାଳନା ଆଦି ପ୍ରସଙ୍ଗ ଉପରେ ଅଧିକାରୀମାନେ ଉପସ୍ଥାପନ କରିଥିଲେ । ସେହିଭଳି ଚାଷୀ ପଞ୍ଜିକରଣ ଓ ଯାଞ୍ଚ, ସାଧାରଣ ବଣ୍ଟନ, ସୁଲଭ ମୂଲ୍ୟ ଦୋକାନ ପରିଚାଳନା, ଇ-କେୱାସି ଯାଞ୍ଚ, ତଥ୍ୟ ଉପସ୍ଥାପନା, ଧାନ ସଂଗ୍ରହ ନୀତି ଆଦି ଉପରେ ବିଭିନ୍ନ ଜିଲ୍ଲାର ଯୋଗାଣ ଅଧିକାରୀମାନେ ସେମାନଙ୍କର ଉପସ୍ଥାପନା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ଯୋଗାଣ ଅଧିକାରୀ, ରାଜ୍ୟ ଯୋଗାଣ ନିଗମ ଏବଂ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଉପ ଶାସନ ସଚିବ ଶ୍ରୀ ସରୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking