ଭୁବନେଶ୍ୱର: ଆଜି ଅନ୍ଲାଇନ୍ ଔଷଧ ବିକ୍ରି ବିରୋଧରେ ଦେଶବ୍ୟାପୀ ୨୪ ଘଣ୍ଟିଆ ସମସ୍ତ ଔଷଧ ଦୋକାନ ବନ୍ଦ । ଏଥିରେ ସାରା ଦେଶରୁ ଅଢ଼େଇ ଲକ୍ଷ ଓ ଓଡ଼ିଶାରୁ ୩୦ ହଜାର ଦୋକାନୀ ସାମିଲ ହୋଇଛନ୍ତି । କେବଳ ରୋଗୀଙ୍କ ପାଇଁ ଅତି ଜରୁରିକାଳୀନ ଔଷଧ ଯୋଗାଇ ଦିଆଯିବ । କେମିଷ୍ଟସ୍ ଆଣ୍ଡ ଡ୍ରଗିଷ୍ଟ୍ସ୍ ଆସୋସିଏସନ୍ (ୟୁସିଡିଏ) ବନ୍ଦ ଡକରା ଦେଇଛି । ଏଭଳି ସଙ୍କଟ ସମୟରେ ଜନସାଧାରଣଙ୍କୁ କିପରି ଔଷଧ ମିଳିବ, ଏନେଇ ଡ୍ରଗ୍ କଣ୍ଟ୍ରୋଲର ସମସ୍ତ ଡ୍ରଗ୍ସ ଇନ୍ସପେକ୍ଟର ଓ ସହକାରୀ ଡ୍ରଗ୍ ନିୟନ୍ତ୍ରକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟରେ ଔଷଧ ଯୋଗାଣ ପାଇଁ ସାତ ସୂତ୍ରି ବ୍ୟବସ୍ଥା କରାଯାଇଛି । ସମସ୍ତ କ୍ଷେତ୍ରରେ ଅତ୍ୟାବଶ୍ୟକ ସମେତ ଜୀବନ ରକ୍ଷାକାରୀ ଔଷଧ ଉପଲବ୍ଧତା ଏବଂ ଯୋଗାଣ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶରେ କୁହାଯାଇଛି । ୨୪ ଘଣ୍ଟିଆ ଚାଲୁଥିବା ଡାକ୍ତରଖାନା ଓ କ୍ଲିନିକାଲ୍ ପ୍ରତିଷ୍ଠାନ ସହିତ ସଂଲଗ୍ନ ସମସ୍ତ ଇନ-ହାଉସ୍ ଫାର୍ମାସି ଓ ଦୋକାନ ଉପରେ ନଜର ରଖିବା ସହିତ ସେଠାରେ ଜନସାଧାରଣଙ୍କ ଚାହିଦା ପୂରଣ ପାଇଁ ପର୍ଯ୍ୟାପ୍ତ ଅତିରିକ୍ତ କର୍ମଚାରୀଙ୍କ ବ୍ୟବସ୍ଥା କରିବାକୁ କୁହାଯାଇଛି । ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ କର୍ତ୍ତୃପକ୍ଷଙ୍କ ସହ ପରାମର୍ଶ କରି ଆବଶ୍ୟକ ସ୍ଥଳେ ଦୋକାନ ଖୋଲିବା ଓ ପରିଚାଳନା ପାଇଁ ସହଜ ବ୍ୟବସ୍ଥା କରିବାକୁ କହାଯାଇଛି । ବନ୍ଦ ଯାଗୁ ଉପୁଜୁଥିବା ଜରୁରୀକାଳୀନ ପରିସ୍ଥିତିରେ ଔଷଧର ନିରବଚ୍ଛିନ୍ନ ବଣ୍ଟନକୁ ସହଜ କରିବା ପାଇଁ ସ୍ଥାନୀୟ ଡ୍ରଗ୍ସ ବିକ୍ରେତା ସଂଘ ସହିତ ଯୋଗାଯୋଗ ରଖିବାକୁ କୁହାଯାଇଛି ।










