ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଅଧୀନସ୍ଥ ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ଓରମାସ ) ପକ୍ଷରୁ ଆୟୋଜିତ “ସାବିତ୍ରୀ-କମ୍-ରଜ ମହୋତ୍ସବ ହ୍ୟାଣ୍ଡଲୁମ୍ ପ୍ରଦର୍ଶନୀ ଓ ବିକ୍ରୟ ମେଳା–୨୦୨୬” ଆଜି ଭୁବନେଶ୍ୱରସ୍ଥିତ ଉତ୍କଳ କନିକା ଗ୍ୟାଲେରିଆରେ ଉଦ୍ଘାଟିତ ହୋଇଯାଇଛି। ଏହି ପପ୍-ଅପ୍ ହ୍ୟାଣ୍ଡଲୁମ୍ ଷ୍ଟୋର ଓ ପ୍ରଦର୍ଶନୀ ଆସନ୍ତା ଜୁନ୍ ୧୪ ପର୍ଯ୍ୟନ୍ତ ଚାଲିବ। ଏହି ଷ୍ଟୋରର ଉଦ୍ଘାଟନ କରି ଓରମାସର ସିଇଓ ଶ୍ରୀମତୀ ମୋନିକା ପ୍ରିୟଦର୍ଶିନୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ଗ୍ରାମୀଣ ବୁଣାକାର, ସ୍ୱୟଂ ସହାୟକ ଗୋଷ୍ଠୀ ଓ ହସ୍ତତନ୍ତ ଶିଳ୍ପୀମାନଙ୍କୁ ସିଧାସଳଖ ବଜାର ସୁବିଧା ଯୋଗାଇବା ସହ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ଲୋକମାନଙ୍କ ନିକଟକୁ ପହଞ୍ଚାଇବାରେ ଏହି ମେଳା ସହାୟକ ହେବ। ସାବିତ୍ରୀ ବ୍ରତ ଓ ରଜ ପର୍ବ ଅବସରରେ ଲୋକମାନେ ଏଠାରୁ ଓଡ଼ିଶାର ବିଭିନ୍ନ ପାରମ୍ପରିକ ହ୍ୟାଣ୍ଡଲୁମ୍ ପୋଷାକ କିଣିପାରିବେ।
ଏହି ପ୍ରଦର୍ଶନୀରେ ସମ୍ବଲପୁରୀ, ବୋମକାଇ, କୋଟପାଡ଼, ହବାସପୁରୀ, ପଟ୍ଟଚିତ୍ର, ଇକତ, ମାଣିଆବନ୍ଧ ଓ ଟସର ଭଳି ବିଭିନ୍ନ ପ୍ରକାରର ଶାଢ଼ୀ ପ୍ରଦର୍ଶିତ ହୋଇଛି। ଏହାସହ ଦୁପଟ୍ଟା, ହ୍ୟାଣ୍ଡଲୁମ୍ ସୁଟ୍, ରେଡିମେଡ୍ କୁର୍ତ୍ତି ଓ ରୁମାଲ ମଧ୍ୟ ଉପଲବ୍ଧ ରହିଛି। ସୋନପୁର, ଖୋର୍ଦ୍ଧା, କଟକ, କଳାହାଣ୍ଡି, ଯାଜପୁର, ବରଗଡ଼, ସମ୍ବଲପୁର, କୋରାପୁଟ, ବୌଦ୍ଧ, ବଲାଙ୍ଗୀର, ଗଞ୍ଜାମ ଓ ଜଗତସିଂହପୁର ଭଳି ବିଭିନ୍ନ ଜିଲ୍ଲାର ବୁଣାକାର ଓ ଶିଳ୍ପୀମାନେ ଏଥିରେ ଭାଗ ନେଇଛନ୍ତି। ଏହି ମେଳା ମାଧ୍ୟମରେ ବୁଣାକାରମାନେ ସିଧାସଳଖ ଭାବେ ନିଜ ହ୍ୟାଣ୍ଡଲୁମ୍ ଉତ୍ପାଦ ବିକ୍ରୟ କରିପାରିବେ ଏବଂ ମଧ୍ୟସ୍ଥିଙ୍କ ଭୂମିକା କମିବା ସହ ଭଲ ଦର ପାଇବାର ସୁଯୋଗ ସୃଷ୍ଟି ହେବ। ସାଧାରଣ ଲୋକଙ୍କ ପାଇଁ ସୁଲଭ ଦରରୁ ଆରମ୍ଭ କରି ପ୍ରିମିୟମ୍ ହସ୍ତତନ୍ତ ପୋଷାକ ଉପଲବ୍ଧ ରହିଛି। ଉତ୍କଳ କନିକା ଗ୍ୟାଲେରିଆର ଫୁଡ କୋର୍ଟ ସମ୍ମୁଖରେ ଆୟୋଜିତ ଏହି ପ୍ରଦର୍ଶନୀ ପ୍ରତିଦିନ ସକାଳ ୧୧ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ଖୋଲା ରହିବ। ଗ୍ରାହକଙ୍କର ସୁବିଧା ପାଇଁ ଡିଜିଟାଲ୍ ପେମେଣ୍ଟପରି ଆବଶ୍ୟକ ସମସ୍ତ ବ୍ୟବସ୍ଥା ମଧ୍ୟ ରହିଛି। ଏହି ପ୍ରଦର୍ଶନୀ ମାଧ୍ୟମରେ ଓଡ଼ିଶାର ହ୍ୟାଣ୍ଡଲୁମ୍ ପରମ୍ପରାକୁ ଅଧିକ ପ୍ରଚାର ମିଳିବା ସହ ଗ୍ରାମୀଣ ବୁଣାକାର ଓ ଶିଳ୍ପୀମାନଙ୍କ ଆୟ ବୃଦ୍ଧି ହେବ ବୋଲି ଓରମାସର ଅତିରିକ୍ତ ସିଇଓ (ଅର୍ଥ) ଶ୍ରୀ ସଞ୍ଜୀବ କୁମାର ସିଂହ ମତ ପ୍ରକାଶ କରିଛନ୍ତି।










