30.1 C
Bhubaneswar
Friday, May 15, 2026
Homeଓଡିଶାଜିଜ୍ଞାସା, ସୃଜନଶୀଳତା ଏବଂ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ ଶିକ୍ଷାର ଆବଶ୍ୟକତା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ

ଜିଜ୍ଞାସା, ସୃଜନଶୀଳତା ଏବଂ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ ଶିକ୍ଷାର ଆବଶ୍ୟକତା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଏକ କ୍ରମାଗତ ପରିବର୍ତ୍ତନଶୀଳ ବିଶ୍ୱରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜିଜ୍ଞାସା, ସୃଜନଶୀଳତା, ନବସୃଜନ ଏବଂ ସୁକ୍ଷ୍ମ ଚିନ୍ତାଧାରା ପୋଷଣ କରିବା ପାଇଁ ପାଠ୍ୟପୁସ୍ତକ ଓ ପରୀକ୍ଷାର ପରିଧି ବାହାରେ ଶିକ୍ଷାର ଆବଶ୍ୟକତା ଉପରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତି । ଶୁକ୍ରବାର ଦିନ କନକ ନ୍ୟୁଜ୍ ଦ୍ୱାରା ଆୟୋଜିତ ବାର୍ଷିକ ଶିକ୍ଷା ସମ୍ମିଳନୀ “ଉତ୍କର୍ଷ”ର ଅଷ୍ଟମ ସଂସ୍କରଣ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହି ଗୁରୁତ୍ୱାରୋପ କରିଛନ୍ତି I ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଶିକ୍ଷା ଯୁବ ପିଢ଼ିଙ୍କ ମଧ୍ୟରେ ଉତ୍କର୍ଷତାର ଭାବନା ଗଠନ କରିବାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଛାତ୍ରଛାତ୍ରୀମାନେ କେବଳ ଦକ୍ଷ ବୃତ୍ତିଧାରୀ ଭାବରେ ନୁହେଁ ବରଂ ସହାନୁଭୂତି, ନୀତି ଏବଂ ସାମାଜିକ ପ୍ରତିବଦ୍ଧତା ଦ୍ୱାରା ପରିଚାଳିତ ଦାୟିତ୍ୱବାନ ନାଗରିକ ଭାବରେ ମଧ୍ୟ ଉଭା ହେବା ଉଚିତ ବୋଲି ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି । ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ, ପ୍ରକୃତ ଉତ୍କର୍ଷତା କେବଳ ଶିକ୍ଷାଗତ ସଫଳତା କିମ୍ବା ବୃତ୍ତିଗତ ସଫଳତା ମଧ୍ୟରେ ସୀମିତ ନୁହେଁ, ବରଂ ଏହା ଚରିତ୍ର, ସାଧୁତା, ଶୃଙ୍ଖଳା, କରୁଣା ଏବଂ ଜ୍ଞାନର ନିରନ୍ତର ଅନୁସନ୍ଧାନରେ ପ୍ରତିଫଳିତ ହୁଏ।

ଜାତୀୟ ଶିକ୍ଷା ନୀତି ୨୦୨୦ର ଗୁରୁତ୍ୱ ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ, ଏହା ବହୁମୁଖୀ ଏବଂ ଦକ୍ଷତା-ଭିତ୍ତିକ ଶିକ୍ଷାକୁ ପ୍ରୋତ୍ସାହିତ କରି ଶିକ୍ଷାଗତ ସଂସ୍କାରକୁ ମାର୍ଗଦର୍ଶନ କରୁଛି। ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ, ପ୍ରଯୁକ୍ତିବିଦ୍ୟା ସମାଜକୁ ପରିବର୍ତ୍ତନ କରୁଥିବା ବେଳେ, ମାନବିକ ମୂଲ୍ୟବୋଧ ପ୍ରଗତି ପାଇଁ କେନ୍ଦ୍ରବିନ୍ଦୁ ଭାବେ ରହିବା ଉଚିତ। ଶିକ୍ଷକ, ନୀତି ନିର୍ଦ୍ଧାରକ, ଅଭିଭାବକ, ଗଣମାଧ୍ୟମ ପ୍ରତିଷ୍ଠାନ ଏବଂ ଛାତ୍ରଛାତ୍ରୀମାନେ ପ୍ରତ୍ୟେକ ପିଲାଙ୍କ ପାଇଁ ଗୁଣାତ୍ମକ ଶିକ୍ଷା, ସମାନ ସୁଯୋଗ ଏବଂ ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ମଧ୍ୟ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ, ରାଜ୍ୟପାଳ ସମାଜରେ ବଢ଼ୁଥିବା ନିଶା ଦ୍ରବ୍ୟର ସେବନ ଉପରେ ଚିନ୍ତା ପ୍ରକାଶ କରିଥିଲେ ଏବଂ ଏହି ସମସ୍ୟାକୁ ରୋକିବାରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଭୂମିକା ଉପରେ ଆଲୋକପାତ କରିଥିଲେ। ନିଶା ସଚେତନତା ଉପରେ ଲୋକଭବନ ଦ୍ୱାରା ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତି ପ୍ରତିଯୋଗିତା ଆୟୋଜନ ହୋଇଥିବା ବିଷୟରେ ରାଜ୍ୟପାଳ ଅବତାରଣା କରି ସଚେତନତା ସୃଷ୍ଟି ପାଇଁ ୧୦ ଟି କ୍ଷୁଦ୍ର ଚଳଚ୍ଚିତ୍ର ଚୟନ କରାଯାଇଥିବା ପ୍ରସଙ୍ଗରେ ସୂଚନା ଦେଇଥିଲେ ।

ଏହି ଚଳଚ୍ଚିତ୍ରଗୁଡ଼ିକୁ ସାର୍ବଜନୀନ ସ୍ଥାନ ଏବଂ ରାସ୍ତା ପାର୍ଶ୍ୱରେ ପ୍ରଦର୍ଶନ କରି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ବିହିତ ପଦକ୍ଷେପ ନେବା ନିମନ୍ତେ ଦାୟିତ୍ୱ ଦିଆଯିବ ବୋଲି ରାଜ୍ୟପାଳ କହିଥିଲେ । ଏ ସମ୍ପର୍କରେ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ମଧ୍ୟ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଚଳଚ୍ଚିତ୍ରଗୁଡ଼ିକୁ ବ୍ୟାପକ ଭାବରେ ପ୍ରସାରଣ କରିବାକୁ ପରାମର୍ଶ ଦେଇଥିଲେ । ଏତତବ୍ୟତୀତ ଦେଶର ଆର୍ଥିକ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଏକ ସ୍ଥାୟୀ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ “ଅର୍ଥନୈତିକ ଆତ୍ମସୁରକ୍ଷା” ନିମନ୍ତେ ଦେଇଥିବା ଆହ୍ୱାନକୁ ଅନୁସରଣ କରିବାକୁ ଜନସାଧାରଣଙ୍କୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ। ଏପରି ସମ୍ମିଳନୀ ଆୟୋଜନ କରିବା ଏବଂ ଶିକ୍ଷା ଓ ସାମାଜିକ ପ୍ରଗତିକୁ ନିରନ୍ତର ପ୍ରୋତ୍ସାହିତ କରିବା ଦିଗରେ ସମ୍ବାଦ, କନକ ନ୍ୟୁଜ୍ ଏବଂ ରେଡିଓ ଚକଲେଟ୍ ଅନୁଷ୍ଠାନର ଉଦ୍ୟମକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଏହି ଅବସରରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସମ୍ବାଦ ଏବଂ କନକ ନ୍ୟୁଜର ସମ୍ପାଦିକା ତନୟା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking