30.1 C
Bhubaneswar
Friday, May 15, 2026
Homeଓଡିଶାସେପ୍ଟେମ୍ବର ୬ ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା।

ସେପ୍ଟେମ୍ବର ୬ ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା।

ଭୁବନେଶ୍ୱର:  ରାଜ୍ୟର ହେବାକୁ ଥିବା ସଘନ ସଂଶୋଧନ (ଏସଆଇଆର)–୨୦୨୬ କାର୍ଯ୍ୟକ୍ରମ ପାଇଁ ଏକ ବିସ୍ତୃତ ଉପସ୍ଥାପନା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମିଡ଼ିଆ ସେଣ୍ଟର ରେ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଲନ ଅଧ୍ୟକ୍ଷତା କରି କହିଥିଲେ ଯେ, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁଯାୟୀ ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ପାଇଁ ସମୟସୂଚୀ ଘୋଷଣା କରାଯାଇଛି। ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ, ୦୧ ଜୁଲାଇ ୨୦୨୬ ଏସ ଆଇ ଆର ପାଇଁ ଯୋଗ୍ୟତା ତାରିଖ ଧାର୍ଯ୍ୟ କରାଯାଇଛି।୨୦ ମଇ ୨୦୨୬ ରୁ ୨୯ ମଇ ୨୦୧୬ ପର୍ଯ୍ୟନ୍ତ ପ୍ରିଣ୍ଟିଂ, ପ୍ରସ୍ତୁତି ଓ ପ୍ରଶିକ୍ଷଣ କାର୍ଯ୍ୟ ସମ୍ପନ୍ନ ହେବ। ଏହାପରେ ୩୦ ମଇ ରୁ ୨୮ ଜୁନ୨୦୨୬ ପର୍ଯ୍ୟନ୍ତ ବିଏଲଓମାନେ ଘରକୁ ଘର ଯାଇ ପରିଦର୍ଶନ କରିବେ।

୨୮ ଜୁନ୨୦୨୬ ସୁଦ୍ଧା ମତଦାନ କେନ୍ଦ୍ର ଗୁଡିକର ପୁନର୍ବିନ୍ୟାସ ।ପରେ ୦୫ ଜୁଲାଇ ରେ ଚିଠା ଭୋଟର ତାଲିକା ପ୍ରକାଶ କରାଯିବ।୦୫ ଜୁଲାଇ ରୁ ଅଗଷ୍ଟ ୦୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ସମୟସୀମା ଧାର୍ଯ୍ୟହୋଇଥିବାବେଳେ,୦୫ ଜୁଲାଇ୨୦୨୬ ରୁ ୦୨ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ନୋଟିସ ପର୍ଯ୍ୟାୟ/ଦାବି ଓ ଆପତ୍ତିର ସମାଧାନ ଓ ୦୬ ସେପ୍ଟେମ୍ବର ୨୦୨୬ ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। SIR ପାଇଁ ପ୍ରସ୍ତୁତି ପର୍ଯ୍ୟାୟରେ, ମୋଟ ନିର୍ବାଚକଙ୍କ ମଧ୍ୟରୁ ୩,୧୬,୦୩,୩୨୩ ଜଣ ନିର୍ବାଚକ ଅର୍ଥାତ୍ ୯୪.୬୧% ନିର୍ବାଚକଙ୍କୁ ୨୦୦୨ ମସିହାରେ ପ୍ରକାଶିତ ଶେଷ SIR ସମୟର ଭୋଟର ତାଲିକା ସହିତ ମ୍ୟାପ୍ କରାଯାଇଛି। ପ୍ରାକ୍-SIR ପର୍ଯ୍ୟାୟରେ ଯେଉଁ ନିର୍ବାଚକମାନଙ୍କୁ ମ୍ୟାପ୍ କରାଯାଇପାରିନଥିଲା, ସେମାନେ ମଧ୍ୟ SIR ସମୟରେ ଯଥୋଚିତ ସୂଚନା ଦାଖଲ କଲେ ମ୍ୟାପ୍ ହୋଇପାରିବେ। ଏସ ଆଇ ଆର ସମୟରେ ୪୫ ହଜାର ୨୫୫ ଜଣ ବୁଥ ସ୍ତରୀୟ ଅଧିକାରୀ ନିର୍ବାଚକଙ୍କ ଘରକୁ ଘର ଯାଇ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ।

ସ୍ବତନ୍ତ୍ର ସଘନ ସଂଶୋଧନ କୁ ସମ୍ପୂର୍ଣ୍ଣ ସ୍ବଚ୍ଛତା ଏବଂ ରାଜନୈତିକ ଦଳମାନଙ୍କ ପୂର୍ବ ସହଭାଗୀତା ସହ କାର୍ଯ୍ୟାନ୍ଵୟନ କରିବାପାଇଁ, ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ସମସ୍ତ ରାଜନୈତିକ ଦଳଙ୍କୁ ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ବୁଥ୍ ସ୍ତରୀୟ ଏଜେଣ୍ଟ (ବିଏଲଏ) ନିଯୁକ୍ତ କରିବାକୁ ଅନୁରୋଧ କରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳ ତରଫରୁ ମୋଟ ୨୭ହଜାର ୭୨୩ ଜଣଙ୍କୁ ନିଯୁକ୍ତ କରାଯାଇଛି। ଘରକୁ ଘର ପରିଗଣନା ସମୟରେ, ପ୍ରତ୍ୟେକ ଭୋଟରଙ୍କୁ ବିଏଲଓଙ୍କ ଜରିଆରେ ଦୁଇଟି ଲେଖାଏଁ ପୂର୍ବମୁଦ୍ରିତ ପରିଗଣନା ଫର୍ମ (ସଂଲଗ୍ନ-III) ଯୋଗାଇ ଦିଆଯିବ । ପୂରଣ ହୋଇଥିବା ଫର୍ମର ଗୋଟିଏ ନକଲ ବିଏଲଓ ସଂଗ୍ରହ କରିବେ ଏବଂ ଦ୍ୱିତୀୟ ନକଲରେ ନିଜ ଦସ୍ତଖତ କରି ଭୋଟରଙ୍କୁ ରସିଦ ବା ସ୍ୱୀକୃତି ପତ୍ର ଭାବେ ଫେରସ୍ତ କରିବେ, ଯାହାକୁ ଭୋଟର ଭବିଷ୍ୟତ ପାଇଁ ସାଇତି ରଖିବେ ।

ଭୋଟରମାନେ ଚାହିଁଲେ ନିର୍ବାଚନ କମିଶନଙ୍କ ସରକାରୀ ୱେବସାଇଟ୍ (voters.eci.gov.in) ରୁ ଏହି ଫର୍ମ ଡାଉନଲୋଡ୍ କରିପାରିବେ ଏବଂ ପୂରଣ ପରେ ସେହି ପୋର୍ଟାଲ ମାଧ୍ୟମରେ ହିଁ ଅନଲାଇନ୍ ଅପଲୋଡ୍ କରିପାରିବେ । ଫର୍ମ ପୂରଣ କରିବାରେ କୌଣସି ସମସ୍ୟା ହେଲେ ବିଏଲଓ ସମ୍ପୃକ୍ତ ଭୋଟରଙ୍କୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇଦେବେ । ଏହାସହ ନୂଆ ନିର୍ବାଚକ ଭାବେ ନାମ ପଞ୍ଜୀକରଣ କରିବାକୁ ଚାହୁଁଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ବିଏଲଓ ସେହି ସମୟରେ ଫର୍ମ-୬ ସହ ସ୍ୱତନ୍ତ୍ର ଘୋଷଣାପତ୍ର (ସଂଲଗ୍ନ-IV) ପ୍ରଦାନ କରିବେ । ଏହି ପରିଗଣନା ସମୟରେ ଭୋଟରମାନଙ୍କଠାରୁ କୌଣସି ପ୍ରକାରର ଅତିରିକ୍ତ ଦଲିଲପତ୍ର (ଡକ୍ୟୁମେଣ୍ଟ) ସଂଗ୍ରହ କରିବାର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ନିର୍ବାଚକଙ୍କଠାରୁ ମିଳିଥିବା ସଠିକ୍ ଫର୍ମ ଆଧାରରେ ହିଁ ନିର୍ବାଚକ ପଞ୍ଜିକରଣ ଅଧିକାରୀ (ଇଆରଓ)ଚିଠା ଭୋଟର ତାଲିକା ପ୍ରସ୍ତୁତ କରିବେ । ଏହି ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଲନ ଙ୍କ ସମେତ ଅତିରିକ୍ତ ସିଇଓ ଶ୍ରୀ ସୁଶାନ୍ତ କୁମାର ମିଶ୍ର, ଯୁଗ୍ମ ସିଇଓ ଶ୍ରୀ ଗୋପୀନାଥ କୁଅଁର,ବିତ୍ତ ପରାମର୍ଶଦାତା ଶ୍ରୀ ସଞ୍ଜୟ କୁମାର ଲୁଗୁନ,ଡେ଼ପୁଟି ସିଇଓ ଡ଼. ଲଷ୍ମୀପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking