27.8 C
Bhubaneswar
Thursday, June 11, 2026
Homeଓଡିଶାସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଏବଂ ଚିଙ୍ଗୁଡି ରପ୍ତାନୀର ହବ୍‌ ହେବ ଓଡ଼ିଶା: ମନ୍ତ୍ରୀ

ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଏବଂ ଚିଙ୍ଗୁଡି ରପ୍ତାନୀର ହବ୍‌ ହେବ ଓଡ଼ିଶା: ମନ୍ତ୍ରୀ

ଭୁବନେଶ୍ଵର: ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଏକ ଘରୋଇ ହୋଟେଲ୍ ଠାରେ “ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ମିଶନ” ଏବଂ “ଓଡ଼ିଶା ଚିଙ୍ଗୁଡ଼ି ମିଶନ” ଶୀର୍ଷକ ରାଜ୍ୟସ୍ତରୀୟ ଅଂଶୀଦାର ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହାର ଉଦ୍‌ଘାଟନ କରି କହିଛନ୍ତି, ରାଜ୍ୟ ସରକାର ଏହି ଦୁଇଟି ଯାକ ମିଶନକୁ ସଫଳ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି । ପୂର୍ବ ଭାରତର ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଏବଂ ଚିଙ୍ଗୁଡି ରପ୍ତାନୀର ହବ୍‌ ଭାବେ ଓଡ଼ିଶାକୁ ବିକଶିତ କରିବାକୁ ବିଭାଗର ଲକ୍ଷ୍ୟ ରହିଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ । ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ ଯେ, ଓଡ଼ିଶାକୁ ଏକ ପ୍ରମୁଖ ବ୍ଲୁ ଇକୋନୋମି ତଥା ନୀଳ ଅର୍ଥନୀତି ଅଭିବୃଦ୍ଧି କେନ୍ଦ୍ର ଭାବେ ଗଢ଼ି ତୋଳାଯିବ । “ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ମିଶନ” ଜରିଆରେ ବଙ୍ଗୋପସାଗରର ଗଭୀର ଏବଂ ଦୂର ସମୁଦ୍ରରେ ଥିବା ମତ୍ସ୍ୟ ସମ୍ପଦ ବିନିଯୋଗ ହେବ । ଏହା ଦ୍ଵାରା ବାର୍ଷିକ ଅତିରିକ୍ତ ୨ ଲକ୍ଷ ମେଟ୍ରିକ ଟନ୍ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ସହିତ ୫୦,୦୦୦ ରୁ ଅଧିକ ରୋଜଗାର ସୁଯୋଗ ସୃଷ୍ଟି ହେବ । ମତ୍ସ୍ୟଜୀବୀଙ୍କ ଆୟ ୨ ରୁ ୩ ଗୁଣ ବୃଦ୍ଧି ପାଇବ । ୨୦୩୬ ସୁଦ୍ଧା ବାର୍ଷିକ ସାମୁଦ୍ରିକ ରପ୍ତାନି ଆୟ ୫,୦୦୦ କୋଟିକୁ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ । ଆଗାମୀ ୫ ବର୍ଷ ମଧ୍ୟରେ ୧୫୦ଟି ନୂତନ ଗଭୀର ସମୁଦ୍ର ଜାହାଜ ନିର୍ମାଣ; ୫୦୦ଟି ଯାନ୍ତ୍ରିକ ଡଙ୍ଗାର ଆଧୁନିକୀକରଣ; ପାରାଦୀପ, ଧାମରା, ଚାନ୍ଦିପୁର ଏବଂ ଅସ୍ତରଙ୍ଗ ଭଳି ମତ୍ସ୍ୟ ବନ୍ଦରର ବିଶ୍ୱସ୍ତରୀୟ ଉନ୍ନତିକରଣ, ୧୦୩ ଟି ମତ୍ସ୍ୟ ଅବତରଣ କେନ୍ଦ୍ରର ଭିତ୍ତିଭୂମି ବିକାଶ ପାଇଁ ଲକ୍ଷ୍ୟ ରହିଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ନୀଳ ଅର୍ଥନୀତି ମାନଚିତ୍ରରେ “ଓଡ଼ିଶା ଚିଙ୍ଗୁଡ଼ି ମିଶନ” କ୍ରାନ୍ତିକାରୀ ଭୂମିକା ଗ୍ରହଣ କରିବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି । ସୁପର-ଇଣ୍ଟେନ୍ସିଭ୍ (ଅତ୍ୟଧିକ ଘନତାଭିତ୍ତିକ) ଚିଙ୍ଗୁଡ଼ି ଚାଷ ପ୍ରଣାଳୀ ମାଧ୍ୟମରେ ବାର୍ଷିକ ହେକ୍ଟର ପ୍ରତି ୩୦ରୁ୪୦ ମେଟ୍ରିକ ଟନ୍ ଉତ୍ପାଦନ, ଚିଙ୍ଗୁଡି ଜାଆଁଳା ହାଚେରୀ, ଫିଡ୍ ମିଲ୍ ଏବଂ ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ କରାଯିବ । ଓଡ଼ିଶାକୁ ଭାରତର ଶୀର୍ଷ ଚିଙ୍ଗୁଡ଼ି ଉତ୍ପାଦନକାରୀ ଏବଂ ରପ୍ତାନିକାରୀ ରାଜ୍ୟରେ ପରିଣତ କରିବା ପାଇଁ ଆମର ଲକ୍ଷ୍ୟ ରହିଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ ।

ଏହି କର୍ମଶାଳା ଅବସରରେ ‘ରେସପନସିବୁଲ୍ ଆକ୍ୱାକଲଚର ଜୋନ୍ ପ୍ଲାନିଂ’ ଏବଂ “ଜିଓସ୍ପାସିଆଲ୍ ମ୍ୟାପିଂ” ମାଧ୍ୟମରେ ଦୀର୍ଘସ୍ଥାୟୀ ମତ୍ସ୍ୟ ଚାଷର ଉନ୍ନତି ନିମନ୍ତେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଏବଂ ଆଇସିଏଆର୍-ସିଆଇବିଏ) ICAR-CIBA ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । କର୍ମଶାଳାର ଉଦ୍‌ଘାଟନୀ ଅଧିବେଶନରେ ଅନ୍ୟତମ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ଆୟୁକ୍ତ ତଥା ସଚିବ ଶ୍ରୀ ପ୍ରେମଚନ୍ଦ୍ର ଚୌଧରୀ ଦୁଇଟି ଯାକ ମିଶନର ଆଭିମୁଖ୍ୟ ବାବଦରେ ବିଷଦ ଭାବେ ଉପସ୍ଥାପନ କରିଥିଲେ । ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ମତ୍ସ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁବ୍ରତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ , ICAR ଅନୁଷ୍ଠାନର ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଏବଂ ଜାତୀୟ ମତ୍ସ୍ୟ ବିକାଶ ବୋର୍ଡର ବରିଷ୍ଠ ଅଧିକାରୀ ଯୋଗଦେଇ ପୋଷଣ ସୁରକ୍ଷା, ଜୀବିକା, ରୋଜଗାର ଏବଂ ରପ୍ତାନି ଆୟ ବୃଦ୍ଧିରେ “ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ମିଶନ” ଏବଂ “ଓଡ଼ିଶା ଚିଙ୍ଗୁଡ଼ି ମିଶନ” ଏକ ମାଇଲଖୁଣ୍ଟ ହେବ ବୋଲି ମତବ୍ୟକ୍ତ କରିଥିଲେ । ମୋଟ ୫ଟି ଅଧିବେଶନ ଆୟୋଜିତ ହୋଇଥିବା ବେଳେ ଏହି କର୍ମଶାଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଅଂଶୀଦାରମାନେ ଯୋଗ ଦେଇ ସେମାନଙ୍କ ଗଠନମୂଳକ ମତାମତ ଉପସ୍ଥାପନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking