27.8 C
Bhubaneswar
Monday, July 6, 2026
Homeଓଡିଶାପୁରୀରେ ରଥଯାତ୍ରା ପାଇଁ ପାନୀୟ ଜଳ ବ୍ୟବସ୍ଥାର ସମୀକ୍ଷା

ପୁରୀରେ ରଥଯାତ୍ରା ପାଇଁ ପାନୀୟ ଜଳ ବ୍ୟବସ୍ଥାର ସମୀକ୍ଷା

ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ କ୍ଷେତ୍ର ପରିଦର୍ଶନ
୪୨ ଏମଏଲଡି ଜଳ ବିଶୋଧନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା

ପୁରୀ: ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଏବଂ ଏଥିପାଇଁ ପୁରୀକୁ ଆସିବାକୁ ଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଏକ ବ୍ୟାପକ ସମୀକ୍ଷା କରିବା ସହ ସହରରେ ନିର୍ମାଣାଧୀନ ନୂତନ ୪୨ ଏମଏଲଡି ଜଳ ବିଶୋଧନ ପ୍ଲାଣ୍ଟର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । ଉତ୍ସବ ସମୟରେ ନିରବଚ୍ଛିନ୍ନ ଭାବେ ସୁରକ୍ଷିତ ଓ ସ୍ୱଚ୍ଛ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ପ୍ରସ୍ତୁତିର ଆକଳନ କରିବା ପାଇଁ ମନ୍ତ୍ରୀ ଡଃ ମହାପାତ୍ର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ୱାଟକୋର ପରିଚାଳନା ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି, ବିଭାଗୀୟ ବରିଷ୍ଠ ଅଧିକାରୀ, ଯନ୍ତ୍ରୀ ଓ ପ୍ରକଳ୍ପ ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ରଥଯାତ୍ରା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଓ ସ୍ୱତନ୍ତ୍ର ବ୍ୟବସ୍ଥା ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । କ୍ଷେତ୍ର ପରିଦର୍ଶନ ସମୟରେ ଡଃ ମହାପାତ୍ର ୪୨ ଏମଏଲଡି ଜଳ ବିଶୋଧନ ପ୍ଲାଣ୍ଟର ପ୍ରମୁଖ ଅଂଶ ଯେପରିକି କ୍ଲାରିଫାୟର୍, ଫିଲ୍ଟ୍ରେସନ୍ ୟୁନିଟ୍, ଯନ୍ତ୍ରପାତି ସ୍ଥାପନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମିର ଅଗ୍ରଗତି ପରିଦର୍ଶନ କରିଥିଲେ । ପୁରୀ ସହରର ବର୍ତ୍ତମାନ ଓ ଭବିଷ୍ୟତର ଜଳ ଆବଶ୍ୟକତା ପୂରଣ ଦିଗରେ ଏହି ପ୍ରକଳ୍ପର ଗୁରୁତ୍ୱ ଉପରେ ଆଲୋକପାତ କରି ସେ କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକୁ ଗୁଣବତ୍ତା ବଜାୟ ରଖିବା ସହ କାମକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।”ରଥଯାତ୍ରା ସମୟରେ ପୁରୀର ଜନସଂଖ୍ୟା ବହୁଗୁଣିତ ହୋଇଯାଏ । ଶ୍ରଦ୍ଧାଳୁ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ନିରବଚ୍ଛିନ୍ନ ଭାବେ ସୁରକ୍ଷିତ ପାନୀୟ ଜଳ ଯୋଗାଇବା ଆମର ସର୍ବୋଚ୍ଚ ପ୍ରାଥମିକତା । ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ସଂସ୍ଥା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଆବଶ୍ୟକ,” ବୋଲି ମନ୍ତ୍ରୀ ଡଃ ମହାପାତ୍ର କହିଛନ୍ତି ।

ଶ୍ରୀ ଜଗନ୍ନାଥ ମନ୍ଦିର ଚାରିପାଖ, ସେବାୟତ , /ତୀର୍ଥଯାତ୍ରୀଙ୍କ ରହଣି ସ୍ଥଳ, ଅସ୍ଥାୟୀ ଶିବିର ଏବଂ ସହରର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ୨୪ ଘଣ୍ଟିଆ ଜଳ ଯୋଗାଣ ପାଇଁ କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା ମନ୍ତ୍ରୀ ଡଃ ମହାପାତ୍ର କରିଥିଲେ । ଜଳ ଯୋଗାଣ ନେଟୱାର୍କର କ୍ରମାଗତ ନିରୀକ୍ଷଣ କରିବା ସହ ପାୱାର ବ୍ୟାକଅପ୍ ବ୍ୟବସ୍ଥା ଏବଂ ଜରୁରୀକାଳୀନ ପଦକ୍ଷେପ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏକ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ଜଳ ଯୋଗାଣରେ କୌଣସି ଅପ୍ରତ୍ୟାଶିତ ବାଧା ଦୂର କରିବା ପାଇଁ ୱାଟକୋ ପକ୍ଷରୁ ଭ୍ରାମ୍ୟମାଣ ପାଣି ଟାଙ୍କି, ଅସ୍ଥାୟୀ ଜଳ ବଣ୍ଟନ କେନ୍ଦ୍ର ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ଦଳକୁ ପ୍ରସ୍ତୁତ ରଖାଯାଇଛି । ତୁରନ୍ତ ସେବା ଏବଂ ନିରବଚ୍ଛିନ୍ନ କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ରଥଯାତ୍ରା ସମୟରେ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟା କାର୍ଯ୍ୟ କରିବ।। ମନ୍ତ୍ରୀ ଡଃ ମହାପାତ୍ର ଅଧିକାରୀ ଓ କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏବଂ ଗୁଣବତ୍ତା ସହ କୌଣସି ପ୍ରକାରର ଆପୋଷ ବୁଝାମଣା ନକରି ଜଳ ବିଶୋଧନ ପ୍ଲାଣ୍ଟ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଧାରିତ ମାନଦଣ୍ଡରୁ କୌଣସି ପ୍ରକାରର ଅବହେଳା କିମ୍ବା ବିଚ୍ୟୁତିକୁ ଗମ୍ଭୀରତାର ସହ ନିଆଯିବ ବୋଲି ସେ ଦୋହରାଇଛନ୍ତି । ରଥଯାତ୍ରା ସମୟରେ ଉନ୍ନତମାନର ସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ମନ୍ତ୍ରୀ କହିଛନ୍ତି ଯେ ସମସ୍ତ ଭକ୍ତ ଓ ବାସିନ୍ଦାଙ୍କ ପାଇଁ ସ୍ୱଚ୍ଛ ପାନୀୟ ଜଳର ନିରବଚ୍ଛିନ୍ନ ସୁବିଧା ସହ ଏକ ସୁରୁଖୁରୁ, ସୁରକ୍ଷିତ ଏବଂ ସୁସଂଗଠିତ ରଥଯାତ୍ରା ସୁନିଶ୍ଚିତ କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ୱାଟକୋ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking