କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ପଟାମୁଣ୍ଡାଇ ବ୍ଲକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ କଜଳବନ୍ଧ ଗ୍ରାମରେ ବୁଧବାର ରାତିରେ ଏକ ଦୁଖଃଦ ତଥା ଅଭାବନୀୟ ଘଟଣା ଘଟିଯାଇଛି। ରାତି ପ୍ରାୟ ୮ଟାରେ କଜଳନ୍ଧ ଗାଁର କୈଳାସ ମଲିକ(୨୭)ଙ୍କୁ ହତ୍ୟା କରାଯାଇଛି। ସାଙ୍ଗମାନେ କୈଳାସଙ୍କୁ ଡାକି ନେଇ ଗ୍ରାମଠାରୁ ପ୍ରାୟ ଅଧା କିଲୋମିଟର ଦୂର ରାଜନଗର ଥାନା ଅଞ୍ଚଳଙ୍କୁ ଯାଇଥିଲେ। ସେଠାରେ ପାଟିତୁଣ୍ଡ ପରେ କୈଳାସଙ୍କ ପେଟରେ ଛୁରି ଭୁସି ଦେଇଥିଲେ। ରକ୍ତ ଜୁଡୁବୁଡୁ ସହ ଗୁରୁତର ଅବସ୍ଥାରେ ରାସ୍ତାକଡ଼ରେ କୈଳାସ ପଡ଼ିଥିଲେ। ବାଟରେ ଯାଉଥିବା ଦୁଇଜଣ ଯୁବକ ଏହା ଦେଖି ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ହେଲେ କୈଳାସର ଗୁରୁତର ଅବସ୍ଥା ଦେଖି ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍ସରେ କେନ୍ଦ୍ରାପଡ଼ା ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ଗୁରୁତର କୈଳାସ କେନ୍ଦ୍ରାପଡ଼ା ଜିଲା ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ତେଣୁ କିଏ କାହିଁକି ଛୁରି ଭୁସିଲା ଆଗରୁ କିଛି ଶତ୍ରୁତା ଥିଲା ନା ପୂର୍ବ ପ୍ରସ୍ତୁତି ପ୍ରକାରେ ଡାକି ନେଇ ଆକ୍ରମଣ କରାଗଲା, ତା’ର ଖୋଳତାଡ଼ କରି ତମାମ ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।










