ନୂଆଦିଲ୍ଲୀ: ପୁଣି ମହାପ୍ରଭୁଙ୍କୁ ଅସମ୍ମାନ କଲା ଇସ୍କନ । ଲଣ୍ଡନରେ ଆଜି ଇସ୍କନ ପକ୍ଷରୁ ମହାପ୍ରଭୁଙ୍କର ଅଦିନିଆ ସ୍ନାନ ଯାତ୍ରାର ଆୟୋଜନ କରାଯାଉଛି । ଲଣ୍ଡନ ନିକଟ ଞ୍ଚାଟ ପୋର୍ଡରେ ଥିବା ଇସ୍କନର ଥିବା ଭକ୍ତି ବେଦାନ୍ତ ମନ୍ଦିରରେ ଏହି ସ୍ନାନ ଯାତ୍ରା କରାଯାଉଛି । ଭାରତୀୟ ସମୟ ଅନୁସାରେ ପାଖାପାଖି ଦିନ ୧ଟା ୪୫ ମିନିଟରେ ଏହି ସ୍ନାନ ଯାତ୍ରା ଆରମ୍ଭ ହେବ । ଚତୁର୍ଦ୍ଧାମୁରତିଙ୍କର ସ୍ନାନ ଯାତ୍ରା ପରେ ହାତୀ ବେଶ ମଧ୍ୟ କରାଯିବ ବୋଲି ଇସ୍କନ ପକ୍ଷରୁ ଏହାର ୱେବସାଇଟ ଏବଂ ଅନ୍ୟ ସୋସିଆଲ ମିଡିଆ ପେଜରେ ମଧ୍ୟ ସୂଚନା ଦିଆଯାଇଛି । ସେପଟେ ଏଭଳି ଅଦିନିଆ ସ୍ନାନ ଯାତ୍ରାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପୂର୍ବରୁ ଇସ୍କନ ପକ୍ଷରୁ ବିଦେଶରେ ଅଦିନିଆ ସ୍ନାନ ଓ ରଥଯାତ୍ରା କରା ହୋଇ ଆସୁଛି ଏପରିକି ଗଜପତି ମହାରାଜ ଇସ୍କନକୁ ଚିଠି ଲେଖି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ପରମ୍ପରାକୁ ଭାଙ୍ଗି ଅଦିନିଆ ସ୍ନାନ କିମ୍ବା ରଥଯାତ୍ରା ନ କରିବାକୁ କହିଥିଲେ । ଏହା ସତ୍ତ୍ୱେ ଇସ୍କନ ମନମାନି କରି ସ୍ନାନ ଯାତ୍ରାର ଆୟୋଜନ ମଧ୍ୟ କରୁଛି ।










