ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଏବଂ ଦନ୍ତେଵାଡା ଜଲ୍ଲା ମଧ୍ୟ ପାହାଡରେ ନକ୍ସଲ ଏବଂ ପୁଲିସ ମଧ୍ୟରେ ଆଜି ସକାଳେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଜଣେ ନକ୍ସଲ ମୃତ୍ୟୁବରଣ କରିଛି। ଏଥିସହ ବନ୍ଧୁକ ଓ ବିସ୍ଫୋରକ ଜବତ କରାଯାଇଛି। ଘଟଣା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ଗିଦମ ଅଂଚଳର ଗୁମଲନାର, ଗିରସାପାଲା ଏବଂ ନେଲଗୋଡା ଗ୍ରାମ୍ୟ ଜଂଗଲରେ ନକ୍ସଲ ବିପୁଳ ପରିମାଣର ମାଓ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଛନ୍ତି। ଯବାନ ଏହି ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଅଚାନକ ନକ୍ସଲ ଯବାନଙ୍କ ଉପରେ ଅତର୍କିତ ଗୁଳି ବର୍ଷଣ କରିଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ହେବା ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ତେବେ ଏହା ପୂର୍ବରୁ ନକ୍ସଲଙ୍କୁ ଆତ୍ମସମର୍ପଣ ପାଇଁ ଯବାନ ବାରମ୍ବାର ଡାକରା ଦେଇଥିଲେ। କିନ୍ତୁ ନକ୍ସଲ ଏହାକୁ କର୍ଣ୍ଣପାତ ନକରି ଯବାନଙ୍କ ଉପରେ ଗୁଳି ଚଳାଇଥିଲେ।










