ଭୁବନେଶ୍ବର: ଗ୍ରୀଷ୍ମଋତୁରେ ବିଦ୍ୟୁତ ଯୋଗାଣ ନେଇ ଶକ୍ତି ବିଭାଗର ପ୍ରସ୍ତୁତି ନେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ସମୀକ୍ଷା କରିଛନ୍ତି। ଗ୍ରୀଷ୍ମ ଋତୁରେ ବିଦ୍ୟୁତ ସେବା ଯେପରି ସ୍ବାଭାବିକ ରହେ ଏବଂ ଏଥିରେ କୌଣସି ପ୍ରକାରର ବ୍ୟାଘାତ ସୃଷ୍ଟି ନହୁଏ, ତାହା ସୁନିଶ୍ଚିତ କରିବା ପାଇଁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମ ଋତୁରେ ପିକ୍ ଡିମାଣ୍ଡକୁ ଆଖିରେ ରଖି ଚାହିଦା ପୂରଣ କରିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଇଛି। ଏପ୍ରିଲ ମାସ ପାଇଁ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ଚାହିଦା ୬୦୮୭ ମେଗାୱାଟ ରହିଛି, ଯାହାକୁ ଅତି ସଫଳତାର ସହ ପୂରଣ କରାଯାଉଛି। ମେ ମାସରେ ସର୍ବାଧିକ ଚାହିଦା ୬୨୦୦ ମେଗାୱାଟ ଏବଂ ଜୁନ୍ ମାସରେ ୬୧୦୦ ମେଗାୱାଟ ହେବା ନେଇ ଆଶା କରାଯାଉଛି। ଗତ ବର୍ଷ ତୁଳନାରେ ଚଳିତ ଏପ୍ରିଲରେ ବିଦ୍ୟୁତ ଚାହିଦାରେ ୨ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ଆଗାମୀ ଗ୍ରୀଷ୍ମ ମାସଗୁଡ଼ିକରେ ପିକ୍ ଆଓ୍ବାର ସମୟରେ ରାଜ୍ୟର ହାଇଡ୍ରୋ ପାଓ୍ବାର ଜେନେରେସନ୍ ସର୍ବାଧିକ କରିବା ପାଇଁ OHPC ସହିତ ଆଲୋଚନା କରାଯାଇଛି। ସେହିପରି ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକ ସହ ବିଭାଗ ପକ୍ଷରୁ ସମନ୍ଵୟ ରକ୍ଷା କରାଯାଇଛି। ଏହାସହ ପାଓ୍ବାର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା କରାଯାଇଛି। ୫୦ରୁ ୧୦୦ ମେଗାୱାଟ ବିଦ୍ୟୁତ କ୍ରୟ ପାଇଁ RSP ସହିତ ଆଲୋଚନା ଜାରି ରହିଛି। ଏହାସହ ରାଜ୍ୟର ଚାହିଦା ପୂରଣ କରିବା ପାଇଁ ଆବଶ୍ୟକତା ଅନୁଯାୟୀ ପାୱାର ଏକ୍ସଚେଞ୍ଜରୁ ବିଦ୍ୟୁତ କ୍ରୟ ବ୍ୟବସ୍ଥା କରାଯାଇଛି।
ଗ୍ରାହକ ସେବା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। କଲ୍ ସେଣ୍ଟରର କ୍ଷମତା ଦୈନିକ ୧୦୦ ରୁ ୧୫୦ ଲଗଇନ୍କୁ ବୃଦ୍ଧି କରାଯାଇଛି। ଗ୍ରାହକମାନେ ଯେପରି ବିଦ୍ୟୁତ ସେବା ବ୍ୟାଘାତ ସମ୍ବନ୍ଧୀୟ ଲାଇଭ୍ ସୂଚନା ତୁରନ୍ତ ପାଇପାରିବେ, ସେଥିପାଇଁ ମିସଡ୍-କଲ୍ ଏବଂ ସିଙ୍ଗଲ୍-କ୍ଲିକ୍ ସୁବିଧା ଆରମ୍ଭ କରାଯାଇଛି। IVRS, ୱେବସାଇଟ୍, ଆପ୍ ଏବଂ ସ୍ୱୟଂ ସେବା ମାଧ୍ୟମରେ ଅନଲାଇନ୍ ଅଭିଯୋଗ ପଞ୍ଜିକରଣକୁ ସହଜ କରାଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ, SMS, ହ୍ୱାଟ୍ସଆପ୍ ଏବଂ ସ୍ଥାନୀୟ ଘୋଷଣା ମାଧ୍ୟମରେ ବିଦ୍ୟୁତ କାଟ ସମ୍ପର୍କରେ ଆଗୁଆ ସୂଚନା ଦିଆଯାଉଛି। ରାଜ୍ୟର କୌଣସି ସ୍ଥାନରୁ ବିଜୁଳି ବ୍ୟାଘାତ ନେଇ ଅଭିଯୋଗ ଆସିଲେ ଏହାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ। ପ୍ରବଳ ଖରାରେ ବିଜୁଳି ସେବା ଯେପରି ବ୍ୟାଘାତ ନହୁଏ ସେନେଇ ସଜାଗ ରହିବାକୁ କହିଛନ୍ତି। ଏଥିସହିତ ଏହି ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ଘରୋଇ ଗ୍ରାହକଙ୍କ ବିଦ୍ୟୁତ ବିଲ୍ ବକେୟା ଥିଲେ ମଧ୍ୟ ସଂଯୋଗ ବିଛିନ୍ନ ନ କରିବାକୁ ବିଭାଗକୁ ପୁଣିଥରେ କହିଛନ୍ତି।ସମୀକ୍ଷା ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ, ସିଏମଡି ଓପିଟିସିଏଲ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ଏମଡି ଗ୍ରୀଡ଼କୋ ଶ୍ରୀ ସତ୍ୟପ୍ରିୟ ରଥ, ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ, ଡ଼ିସକମ୍ ର ସିଇଓ, ଓଏଚପିସି, ଗ୍ରୀଡ଼କୋ, ଓପିଟିସିଏଲର ବରିଷ୍ଠ ଅଧିକାରୀ ବୃନ୍ଦ ପ୍ରମୁଖ ଯୋଗ ଦେଇଥିଲେ।










