ସୋର : ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଟ୍ରେଲରକୁ ପଛରୁ ଏକ ଆଇଚର ଟ୍ରକ ଧକ୍କା ଦେବା ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇ ବାଲେଶ୍ୱର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏକ ଆଇଚର ଟ୍ରକ ଭୁବନେଶ୍ୱରରୁ ଘରୋଇ ସାମଗ୍ରୀ ଲୋଡ଼ କରି ରାଞ୍ଚି ଅଭିମୁଖେ ଆସୁଥିବା ବେଳେ ତଳନଗର ନିକଟରେ ଆଗରେ ଯାଉଥିବା ଏକ ଟ୍ରେଲର ପଛରୁ ଧକ୍କା ଦେଇଥିଲା। ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ବିହାର ପାଟଣା ଅଞ୍ଚଳର ଶ୍ରମିକ ସଞ୍ଜୟ ଯାଦବ, ଅନିଲ ଯାଦବ, ରାଞ୍ଚି ହରମୋ, ବିଦ୍ୟାନଗର ଅଞ୍ଚଳର ପଙ୍କଜ କୁମାର ରୟ, ବୈଶାଳି ଜିଲ୍ଲା ରାଘବପୁର, ହଜପରୁଆ ଅଞ୍ଚଳର ରାକେଶ ଯାଦବ (୩୨) ଟ୍ରକ ମଧ୍ୟରେ ଚାପି ହୋଇ ରହିଥିଲେ। ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲିଂ ପୁଲିସ, ସୋର ଥାନା ଏସଆଇ ପ୍ରୀତିଜିତ ମହାନ୍ତି, ଏଏସଆଇ ସୁନୀଲ ରାଜ, ମୀନକେତନ ପାଢ଼ୀ ଘଟଣା ସ୍ଥଳରେ ପହଞ୍ଚି ଅଡା ଦମକଳ ବାହିନୀ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ସମସ୍ତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାକେଶ ଏବଂ ପଙ୍କଜଙ୍କ ମୃତ୍ୟୁ ହୋଇଥିଲା। ଖବରପାଇ ମୃତକଙ୍କ ପରିବାର ଲୋକେ ସୋର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।










