ଭୁବନେଶ୍ୱର: କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟ ବିବାଦକୁ ନେଇ କଟକ ମର୍କତନଗର ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିଲା । ହେଲେ ଏବେ ଏହା ଧିମେଇ ଯାଇଛି । କାରଣ ମର୍କତନଗର ଥାନାର ତଦନ୍ତକାରୀ ଅଫିସର ତଥା ଆଇଆଇସି ସତ୍ୟବ୍ରତ ଭୁତିଆଙ୍କ ଲାଲବାଗ ଥାନାକୁ ବଦଳି ହୋଇଯାଇଛି । ଫଳରେ ତଦନ୍ତର ଗତି ଆହୁରି ମନ୍ଥର ହେବାର ଆଶଙ୍କା କରାଯାଉଛି । ସେପଟେ ଏମ୍ସ ପକ୍ଷରୁ ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ମେଡିକାଲ ରିପୋର୍ଟ ଏଯାବତ ପୁଲିସର ହସ୍ତଗତ ହୋଇନାହିଁ । କେବେ ଏମ୍ସ କର୍ତ୍ତୃପକ୍ଷ ମର୍କତନଗର ଥାନାକୁ ରିପୋର୍ଟ ପ୍ରଦାନ କରିବେ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଗତ ୨୧ ତାରିଖରେ ହ୍ୟମାନଙ୍କ ମାଆ ଶେଫାଳୀ ସୁନା ମର୍କତ ନଗର ଥାନାରେ ଏତଲା ଦେବା ପରେ ପୁଲିସ ୯ ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା । ସେମାନଙ୍କୁ ଜେରା କରିବା ପାଇଁ ୨ ଦିନ ମଧ୍ୟରେ ସମସ୍ତଙ୍କୁ ନୋଟିସ ହୋଇଥିଲା । ହେଲେ ଏଯାଏଁ ପୋଲିସ କୌଣସି ଅଭିଯୁକ୍ତଙ୍କୁ ନୋଟିସ କରିନାହିଁ । ଏତଲାର ୧୫ ଦିନ ବିତିଯାଇଥିଲେ ବି କାହାରିକୁ ଜେରା କରାଯାଇନାହିଁ । ତଦନ୍ତରେ ବିଳମ୍ବ ହେବାରୁ ଏହା ବାଟବଣା ହେବା ସହ ଅଭିଯୁକ୍ତମାନେ ଖସିଯିବାର ସମ୍ଭାବନା ରହିଛି । ମାନସିକ ନିର୍ଯାତନା , ଟଙ୍କା ହଡପ ଏବଂ ବିଷକ୍ରିୟା ସନ୍ଦେହ ଏହି ତିନୋଟି ଦିଗକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।









