ଢେଙ୍କାନାଳ: ଲୋକଙ୍କ ସରକାର କହି ନେତା ମନ୍ତ୍ରୀ ଡିଣ୍ଡିମ ପିଟୁଥିବାବେଳେ ବାସ୍ତବରେ କିନ୍ତୁ ଲୋକଙ୍କ ପାଖରେ ସରକାର ପହଞ୍ଚି ପାରୁନାହିଁ, କି ଲୋକଙ୍କ ସମସ୍ୟାର ସମାଧାନ କରିପାରୁନାହାଁନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସି ୧୧ ନଂ ୱାର୍ଡ୍ ଜନାର୍ଦ୍ଦନପୁର ଗ୍ରାମରେ। ଜନାର୍ଦ୍ଦନପୁର ଗ୍ରାମର ଅସହାୟ ମହିଳା କାନ୍ଦିରୀ ଦେଇ(୮୦) କେବଳ ଖାଦ୍ୟ ସୁରକ୍ଷା ଯୋଜନାରେ ୫ କିଲୋ ଚାଉଳ ପାଉଥିବାବେଳେ ଭତା ପାଉଛନ୍ତି ମାତ୍ର ଏକ ହଜାର ଟଙ୍କା। ବୟସ ତାଙ୍କର ୮୦ ଅତିକ୍ରମ କରିଯାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ସେ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ସବୁଠାରୁ ବଡ ଦୁଃଖର କଥାକି ମୁଣ୍ଡ ଗୁଞ୍ଜିବାକୁ ତାଙ୍କର ଘରଟିଏ ନାହିଁ। ପର ଘରେ ସେ କାମ କଲେ ଖାଇବାକୁ ଗଣ୍ଡେ ମିଳେ। ନଚେତ୍ ଓପାସ ରହିବାକୁ ପଡ଼ିଥାଏ। ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନଥିବାରୁ ୟା ତା ଘର ବାରଣ୍ଡାରେ ତାର ଜୀବନ କାଟୁଛି। ବର୍ଦ୍ଧିତ ଭତ୍ତା ଓ ଘରଟିଏ ପାଇଁ କାନ୍ଦିରୀ ଏନ୍ଏସି କର୍ତ୍ତୃପକ୍ଷ, ଉପଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ହିନ୍ଦୋଳ ଉପଖଣ୍ଡରେ ବହୁ ଅଯୋଗ୍ୟ ଲୋକଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ଘର ଦିଆଯାଇଥିବାବେଳେ ଅସହାୟ କାନ୍ଦିରୀ କିନ୍ତୁ ଏଥିରୁ ବାଦ୍ ପଡ଼ିଛି। କାନ୍ଦିରୀ ବୋଧେ ହାତଗୁଞ୍ଜା ଦେଇପାରିଲା ନାହିଁ। ତେଣୁ ସେ ଅନ୍ତ୍ୟୋଦୟ ଗୃହ ଯୋଜନାରୁ ବଞ୍ଚିତ ହେଲା ବୋଲି ସାଧାରଣରେ ଆଲୋଚନା ହେଉଛି। ଦୀର୍ଘଦିନ ଧରି ସେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ କୌଣସି ନେତା ବା ପ୍ରଶାସନ ଦୃଷ୍ଟି ନଦେବାକୁ ନେଇ ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ଦୃଢ଼ ନିନ୍ଦା କରାଯିବା ସହ ଯଥାଶୀଘ୍ର ତାଙ୍କୁ ଘର ଓ ବର୍ଦ୍ଧିତ ଭତ୍ତା ଯୋଗାଇଦେବାକୁ ଦାବି ହେଉଛି। କେବେ ପ୍ରଶାସନ ଦୁଃଖିନୀ କାନ୍ଦିରୀର ଦୁଃଖ ଶୁଣୁଛି ତାହା ଦେଖିବାକୁ ବାକି ରହିଲା।










