32.8 C
Bhubaneswar
Monday, June 15, 2026
Homeଓଡିଶାମହିଳା ଓ ନାବାଳିକାଙ୍କ ସୁରକ୍ଷା ପ୍ରସଙ୍ଗରେ ବିଜୁ ଜନତା ଦଳର ଗଭୀର ଉଦ୍ବେଗ; ତୁରନ୍ତ ନିରପେକ୍ଷ...

ମହିଳା ଓ ନାବାଳିକାଙ୍କ ସୁରକ୍ଷା ପ୍ରସଙ୍ଗରେ ବିଜୁ ଜନତା ଦଳର ଗଭୀର ଉଦ୍ବେଗ; ତୁରନ୍ତ ନିରପେକ୍ଷ ତଦନ୍ତ ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ରାଜ୍ୟରେ ମହିଳା ଓ ନାବାଳିକାଙ୍କ ଉପରେ ବଢ଼ୁଥିବା ଅପରାଧ ଘଟଣାକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ପ୍ରେସ୍ ବାର୍ତ୍ତା ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ, ବିଜୁ ମହିଳା ଜନତା ଦଳର ଉପସଭାପତି ଭାରତୀ ସିଂହ ଏବଂ ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ବେହେରା ଉପସ୍ଥିତ ଥିଲେ।
ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳରେ ଜଣେ ୧୩ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଚମେଲୀ ଓଝା ଘଟଣାକୁ ନେଇ ଦଳ ପକ୍ଷରୁ ଗଭୀର ଉଦ୍ବେଗ ପ୍ରକାଶ କରାଯାଇଥିଲା।
ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ କହିଥିଲେ ଯେ, ରାଜ୍ୟ ସରକାର ଦୁଇ ବର୍ଷ ପୂର୍ତ୍ତି ଉତ୍ସବ ଓ ପ୍ରଚାରରେ ବ୍ୟସ୍ତ ଥିବା ବେଳେ ଆଇନ-ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଅବନତି ଘଟୁଛି। ରଙ୍ଗ ପରିବର୍ତ୍ତନ, ନାମ ପରିବର୍ତ୍ତନ, ଫଳକ ଉନ୍ମୋଚନ ଏବଂ ବଡ଼ ବଡ଼ ହୋର୍ଡିଂ ଲଗାଇବା ଦ୍ୱାରା ବିକାଶ ହୁଏ ନାହିଁ। ରାଜ୍ୟର ମହିଳା ଓ ନାବାଳିକାମାନେ ସୁରକ୍ଷିତ ରହିବା ହିଁ ସରକାରର ସବୁଠାରୁ ବଡ଼ ସଫଳତା ହେବା ଉଚିତ।
ସେ କହିଥିଲେ ଯେ, ରଜ ପର୍ବ ଭଳି ଆନନ୍ଦର ସମୟରେ ଏଭଳି ଜଘନ୍ୟ ଘଟଣା ସମଗ୍ର ଓଡ଼ିଶାବାସୀଙ୍କୁ ମର୍ମାହତ କରିଛି ଏବଂ ମହିଳା ଓ ଶିଶୁଙ୍କ ସୁରକ୍ଷା ପ୍ରତି ସରକାରଙ୍କ ଦାୟିତ୍ୱବୋଧ ନେଇ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି।
ବିଜୁ ମହିଳା ଜନତା ଦଳର ଉପସଭାପତି ଭାରତୀ ସିଂହ କହିଥିଲେ ଯେ, ଦୁଇ ବର୍ଷର ଶାସନ କାଳ ମଧ୍ୟରେ ମହିଳାମାନଙ୍କ ମନରେ ସୁରକ୍ଷା ଓ ବିଶ୍ୱାସର ଭାବନା କମିଯାଇଛି। ଏକପଟେ ସରକାର ନାରୀ ସଶକ୍ତିକରଣର କଥା କହୁଥିବା ବେଳେ ଅନ୍ୟପଟେ ମହିଳା ଓ ନାବାଳିକାଙ୍କ ଉପରେ ଅପରାଧ ଓ ନିର୍ଯାତନାର ଘଟଣା ବଢ଼ି ଚାଲିଛି। ସେ ନିର୍ଭୟା ଫଣ୍ଡ, ୱନ୍ ଷ୍ଟପ୍ ସେଣ୍ଟର ଓ ସଚେତନତା କାର୍ଯ୍ୟକ୍ରମଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଥିଲେ।
ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ବେହେରା ଦାବି କରିଥିଲେ ଯେ—
* ରାଇରଙ୍ଗପୁର ଘଟଣାର ତୁରନ୍ତ ଓ ନିରପେକ୍ଷ ତଦନ୍ତ କରାଯାଉ।
* ପୀଡ଼ିତାଙ୍କୁ ଉନ୍ନତ ଚିକିତ୍ସା, ମାନସିକ ପରାମର୍ଶ ଏବଂ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ।
* ଦୋଷୀମାନଙ୍କ ବିରୋଧରେ କଠୋରତମ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
* ମହିଳା ଓ ନାବାଳିକାଙ୍କ ଉପରେ ଘଟୁଥିବା ଅପରାଧ ମାମଲାର ଶୀଘ୍ର ବିଚାର ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟଗୁଡ଼ିକୁ ଅଧିକ ସକ୍ରିୟ କରାଯାଉ।
* ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ଥିବା ସମସ୍ତ ଯୋଜନା ଓ ପାଣ୍ଠିର ସଠିକ୍ ବ୍ୟବହାର ସୁନିଶ୍ଚିତ କରାଯାଉ।
ବିଜୁ ଜନତା ଦଳ ସ୍ପଷ୍ଟ କରିଛି ଯେ, ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ନ୍ୟାୟ ପ୍ରସଙ୍ଗରେ କୌଣସି ପ୍ରକାରର ଅବହେଳା ଗ୍ରହଣୀୟ ନୁହେଁ। ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ସାରା ଓଡ଼ିଶାରେ ଏହି ପ୍ରସଙ୍ଗରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବ ବୋଲି ଘୋଷଣା କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking