26.1 C
Bhubaneswar
Thursday, March 26, 2026
Homeଓଡିଶାପୁଡୁଚେରୀରେ ଉନ୍ମୋଚିତ ହେଲା ‘ଏଇ ଆମ ପାଠଶାଳା’ ଡକ୍ୟୁମେଣ୍ଟାରୀ

ପୁଡୁଚେରୀରେ ଉନ୍ମୋଚିତ ହେଲା ‘ଏଇ ଆମ ପାଠଶାଳା’ ଡକ୍ୟୁମେଣ୍ଟାରୀ

ଭୁବନେଶ୍ୱର: ପୁଡୁଚେରୀସ୍ଥିତ ଶ୍ରୀଅରବିନ୍ଦଙ୍କ ପ୍ରତିଷ୍ଠିତ ଆଶ୍ରମର ନବଜ୍ୟୋତି କାର୍ଯ୍ୟାଳୟ ପରିସରରେ ‘ଏଇ ଆମ ପାଠଶାଳା’ ଶୀର୍ଷକ ଏକ ଚିତ୍ରଗାଥା (ଲିରିକାଲ୍‍ ଡକ୍ୟୁମେଣ୍ଟାରୀ) ଉଦ୍‍ଘାଟିତ ହୋଇଯାଇଛି । ଖଣ୍ଡଗିରିସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ପ୍ରାକ୍ତନ ଛାତ୍ରଛାତ୍ରୀମାନେ ଏହା ପ୍ରସ୍ତୁତ କରିଛନ୍ତି । ୭୦ ଦଶକରେ ଏହି ଶିକ୍ଷାକେନ୍ଦ୍ରର ପ୍ରଥମ ଅଧ୍ୟକ୍ଷା ଥିବା ପ୍ରୀତିମଞ୍ଜରୀ ପଟ୍ଟନାୟକ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସଂପ୍ରତି ନବଜ୍ୟୋତି କାର୍ଯ୍ୟାଳୟର ମୁଖ୍ୟ ପରିଚାଳିକା ଥିବା ସୁଶ୍ରୀ ଜୟନ୍ତୀ ତ୍ରିପାଠୀ ଓ ଅନ୍ୟତମ ପୂର୍ବତନ ଅଧ୍ୟକ୍ଷା ସୁଶ୍ରୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଶ୍ରୀମା’ ଓ ଶ୍ରୀଅରବିନ୍ଦଙ୍କ ଦର୍ଶନ ଆଧାରରେ ଛାତ୍ରଛାତ୍ରୀମାନଙ୍କ ପୂର୍ଣ୍ଣାଙ୍ଗ ଜୀବନ ଗଠନର ଯେଉଁ ପରିକଳ୍ପନା କରାଯାଇଥିଲା ତାହା ଅନେକାଂଶରେ ସଫଳ ହୋଇଥିବା ଉଲ୍ଲେଖ କରିଥିଲେ ।

ଏହି ଉତ୍ସବରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବର୍ତ୍ତମାନର ଅଧ୍ୟକ୍ଷ ତଥା ଏଇ ଆମ ପାଠଶାଳାର କବି ରବୀନ୍ଦ୍ର ନାଥ ପାଢ଼ୀ ଯୋଗଦେଇ ଶିକ୍ଷାକେନ୍ଦ୍ରର ଶିକ୍ଷକ ଭାବେ ନୁହେଁ, ପିଲାଙ୍କ ସହିତ ପିଲା ହେବାର କଳା ଶିଖୁଶିଖୁ ସେ କିଭଳି ପରିବେଶରେ ଏହା ରଚନା କରିଥିଲେ ତାହା ବର୍ଣ୍ଣନା କରିଥିଲେ । ଶ୍ରୀଅରବିନ୍ଦ ସଂସ୍କୃତି ସଂସଦର ସଂପାଦକ ବିନୋଦ କୁମାର ସାହୁ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ କିଭଳି ସ୍ୱତନ୍ତ୍ର ସେ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଲେଖିକା ଡ. ପ୍ରବୀଣା ମହାନ୍ତି ଓ ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସତ୍ୟଭାମା ସ୍ୱାଇଁଙ୍କ ସମେତ ଅନେକ ପୂର୍ବତନ ଶିକ୍ଷକ ଶିକ୍ଷୟିତ୍ରୀ ଓ ପୂର୍ବତନ ଛାତ୍ରଛାତ୍ରୀ ତଥା ଆଶ୍ରମର ଅନ୍ତେବାସୀମାନେ ଯୋଗ ଦେଇଥିଲେ ।

କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଯୁବ ବୈଜ୍ଞାନିକ ଓ ଗବେଷକ ଭାବେ ଅବସ୍ଥାପିତ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପୂର୍ବତନ ଛାତ୍ର ଡ. ସ୍ୱୟଂ ପ୍ରକାଶ ଏହି ଚିତ୍ରଗାଥାର ପ୍ରଯୋଜନା କରିଥିବାବେଳେ ଅନ୍ୟତମ ପ୍ରାକ୍ତନ ଛାତ୍ର ତଥା ଯୁବ ଚଳଚ୍ଚିତ୍ର ନିର୍ମାତା ସୁବ୍ରତ ବାହିନୀପତି ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଶିକ୍ଷାକେନ୍ଦ୍ରର ପ୍ରାକ୍ତନ ଛାତ୍ରୀ ତଥା ଖ୍ୟାତନାମା ନୃତ୍ୟଶିଳ୍ପୀ ଶ୍ରୀମତୀ ସଂଗୀତା ଦାସଙ୍କ ନୃତ୍ୟ ନିର୍ଦ୍ଦେଶନା ଓ ରବୀନ୍ଦ୍ରନାଥ ପାଢ଼ୀଙ୍କ ସଂଗୀତ ନିର୍ଦ୍ଦେଶନାରେ ଏହି ଚିତ୍ରଗାଥାଟି ଆକର୍ଷଣୀୟ ହୋଇପାରିଛି । ବିଶେଷକରି ଓଡ଼ିଶାର ସମସ୍ତ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ପାଇଁ ଏହା ଆକର୍ଷଣ ହେବ । ଏହାଛଡ଼ା ଶିକ୍ଷା ପଦ୍ଧତିରେ ସଂସ୍କାର ପାଇଁ ଯେଉଁ ଉଦ୍ୟମ ଚାଲିଛି ସେ କ୍ଷେତ୍ରରେ ମଧ୍ୟ ଏହି ସଂକ୍ଷୀପ୍ତ ଭିଡିଓ ଚଳଚ୍ଚିତ୍ରଟି ସହାୟକ ହୋଇପାରିବ ବୋଲି ନବଜ୍ୟୋତି ଆଶ୍ରମର କାର୍ଯ୍ୟକର୍ତ୍ତାମାନେ ଉଲ୍ଲେଖ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking